କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ ଧରି ଜେଲରେ ଥିବା ୬୨ ବର୍ଷୀୟ ଦାରାଙ୍କୁ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟୁଅର୍ଟ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କୁ ଜୀବନ୍ତ ଜାଳିଦେବା ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ଏବେ ତାଙ୍କର ସମୟ ପୂର୍ବରୁ ମୁକ୍ତି ପାଇଁ ଓଡ଼ିଶା ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ(ଓଡ଼ିଶା ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ) ସୁପାରିଶ କରିଛି।
ଦାରାଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ବିଚାରପତି ମନୋଜ ମିଶ୍ର ଏବଂ ବିଚାରପତି ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଅଦାଲତ ଓଡ଼ିଶା ସରକାରଙ୍କୁ ତାଙ୍କ ମୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବା ଲାଗି କୋର୍ଟ ରାଜ୍ୟ ସରକାରଙ୍କୁ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୯ ତାରିଖରେ ହେବ।
ଦାରା ସିଂଙ୍କ ଓକିଲ ଏ.ପି. ସିଂଙ୍କ କହିବା ଅନୁସାରେ, ଦଣ୍ଡ ସମୀକ୍ଷା ବୋର୍ଡ ପୂର୍ବରୁ ବୈଠକ କରି ଏହି ଆବେଦନ ଉପରେ ବିଚାର କରିସାରିଛି। ଜେଲରେ ତାଙ୍କ ଉତ୍ତମ ବ୍ୟବହାର ଆଧାରରେ ତାଙ୍କୁ ମୁକ୍ତ କରାଯିବାକୁ ବୋର୍ଡ ସୁପାରିସ କରିଥିଲା। ବର୍ତ୍ତମାନ କେବଳ ତାଙ୍କ ଗୃହ ଜିଲାର ଠିକଣା ଯାଞ୍ଚ କରିବା କାର୍ଯ୍ୟ ଚାଲିଛି। ତେବେ ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ସନାତନ ଧର୍ମର ଜୟ ବୋଲି ଦାରାଙ୍କ ଓକିଲ କହିଛନ୍ତି।
ଓଡ଼ିଶା ସରକାରଙ୍କ ରିମିଶନ ନୀତି କ’ଣ?
ଦାରା ସିଂ ଗତ ୨୬ ବର୍ଷ ହେବ ବିନା କୌଣସି ପାରୋଲ୍ରେ ଜେଲ୍ରେ ଅଛନ୍ତି। ଓଡ଼ିଶା ସରକାରଙ୍କ ରିମିଶନ ନୀତି ଅନୁସାରେ, ଯଦି କୌଣସି କଏଦୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଯାଇଥାଏ, ତେବେ ୨୫ ବର୍ଷର ଜେଲଦଣ୍ଡ କାଟିବା ପରେ ଏବଂ ସଜା ସମୀକ୍ଷା ବୋର୍ଡର ଅନୁମୋଦନ କ୍ରମେ ସେ ସମୟ ପୂର୍ବରୁ ମୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି। ଦାରା ସିଂ ମୂଳତଃ ଉତ୍ତର ପ୍ରଦେଶର ଅରିଆ ଜିଲ୍ଲାର ବାସିନ୍ଦା ଅଟନ୍ତି।
କ’ଣ ଥିଲା ଗ୍ରାହାମ ଷ୍ଟେନ୍ସ ହତ୍ୟାକାଣ୍ଡ?
୧୯୯୯ ଜାନୁଆରୀ ୨୧ ତାରିଖ ରାତିରେ କେନ୍ଦୁଝର ଜିଲାର ମନୋହରପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅ ଫିଲିପ (୧୦) ଓ ଟିମୋଥି (୬) ଏକ ଖ୍ରୀଷ୍ଟିୟାନ ସମାବେଶରେ ଯୋଗଦେବା ପରେ ଗୋଟିଏ ଗାଡ଼ି ଭିତରେ ଶୋଇଥିବା ସମୟରେ ଦାରାଙ୍କ ନେତୃତ୍ୱରେ ଉତ୍ତ୍ୟକ୍ତ ଗୋଷ୍ଠୀ ଗାଡ଼ିକୁ ବାହାରୁ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ଏଥିରେ ତିନିଜଣଯାକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଷ୍ଟେନ୍ସ ହିନ୍ଦୁମାନଙ୍କୁ ଜବରଦସ୍ତ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ଆଣି ଏହି କାଣ୍ଡ ଭିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଜଷ୍ଟିସ ଡି.ପି. ୱାଧୱା କମିଶନ ତାଙ୍କ ତଦନ୍ତ ରିପୋର୍ଟରେ ଏପରି ବେଆଇନ ଧର୍ମାନ୍ତରୀକରଣର କୌଣସି ପ୍ରମାଣ ପାଇ ନ ଥିଲେ। ଷ୍ଟେନ୍ସ ସେଠାରେ କୁଷ୍ଠ ରୋଗୀଙ୍କ ସେବା ପାଇଁ ଏକ ଆଶ୍ରମ ଚଲାଉଥିଲେ। ଏହି ଘଟଣା ସେତେବେଳେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଥିଲେ। ଦେଶବ୍ୟାପି ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ଅନ୍ତର୍ଜାତୀୟସ୍ତରରେ ଦୃଢ଼ ନିନ୍ଦା କରାଯାଇଥିଲା।
ଅପରପକ୍ଷେ ଏହି ମାମଲାରେ ସିବିଆଇ (CBI)ର ସ୍ବତନ୍ତ୍ର ଅଦାଲତ ଦାରା ସିଂଙ୍କ ସମେତ ୧୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୦୩ ମସିହାରେ ଦାରା ସିଂଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା, କିନ୍ତୁ ୨୦୦୫ରେ ଓଡ଼ିଶା ହାଇକୋର୍ଟ ଏହାକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ, ଯାହାକୁ ୨୦୧୧ରେ ସୁପ୍ରିମକୋର୍ଟ କାଏମ ରଖିଥିଲେ। ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟତମ କଏଦୀ ମହେନ୍ଦ୍ର ହେମ୍ବ୍ରମ ଗତବର୍ଷ ଜେଲ୍ରୁ ମୁକ୍ତ ହୋଇଥିବା ବେଳେ ନାବାଳକ ଥିବା ଚେନ୍ଚୁ ହାଁସଦାଙ୍କୁ ୨୦୦୮ରେ ଖଲାସ କରାଯାଇଥିଲା। ବର୍ତ୍ତମାନ ଦାରା ସିଂ ମୁକ୍ତ ହେବା ପରେ ଏହି ଘଟଣାର ସମସ୍ତ ଦୋଷୀ ଜେଲ୍ରୁ ବାହାରକୁ ଆସିଯିବେ।