ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍ ଦରମାରେ H-1B ଭିସାଧାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେଉଥିବା ଅଭିଯୋଗ ହୋଇଛି । ଏହାଦ୍ୱାରା ଆମେରିକୀୟ କର୍ମଚାରୀଙ୍କ ଦରମା ଉପରେ ଚାପ ପଡ଼ୁଥିବା ଦାବି କରାଯାଇଛି ।

ଏହି ପ୍ରଥା ବହୁ ବର୍ଷ ଧରି ଚାଲିଆସୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏହାର ପ୍ରମୁଖ କାରଣ ଭାବେ କମ୍ ଦରମାରେ କର୍ମଚାରୀ ନିଯୁକ୍ତି ଦେବା ନେଇ ଦର୍ଶାଯାଉଛି । କେତେକ କ୍ଷେତ୍ରରେ କମ୍ପାନୀଗୁଡ଼ିକ ଏହି ବ୍ୟବସ୍ଥାର ଫାଇଦା ଉଠାଇ ନିଜର ନିଯୁକ୍ତି ଖର୍ଚ୍ଚ କମାଉଥିବା ଅଭିଯୋଗ ମଧ୍ୟ ରହିଛି। ଏଭଳି ଅନିୟମିତତାକୁ ରୋକିବା ଏବଂ ଆମେରିକୀୟ କର୍ମଚାରୀଙ୍କ ସ୍ୱାର୍ଥର ସୁରକ୍ଷା କରିବା ପାଇଁ ହ୍ୱାଇଟ୍ ହାଉସ୍‌ର ଫ୍ରଡ୍ ଟାସ୍କ ଫୋର୍ସ ପଦକ୍ଷେପ ନେଉଥିବା ଦାବି କରାଯାଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଆମେରିକୀୟ କର୍ମଚାରୀଙ୍କୁ ଚାକିରି ଓ ଦରମା ସମ୍ବନ୍ଧୀୟ କ୍ଷତିରୁ ସୁରକ୍ଷା ଦେବା ଏବଂ ବିଦେଶୀ କର୍ମଚାରୀଙ୍କୁ କମ୍ ଦରମାରେ ନିଯୁକ୍ତି ଦେଇ ନିୟମର ଦୁରୁପଯୋଗ କରାଯାଉଥିବା ଅଭିଯୋଗର ମୁକାବିଲା କରିବା।

H-1B ହେଉଛି ଆମେରିକାର ଏକ ଅଣ-ପ୍ରବାସୀ ଭିସା ବ୍ୟବସ୍ଥା। ଏହା ଅଧୀନରେ ଆମେରିକୀୟ କମ୍ପାନୀଗୁଡ଼ିକ ନିର୍ଦ୍ଦିଷ୍ଟ ବୃତ୍ତିଗତ କ୍ଷେତ୍ରରେ ଆବଶ୍ୟକ ଯୋଗ୍ୟତା ଓ ବିଶେଷଜ୍ଞତା ଥିବା ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇପାରନ୍ତି । ସୂଚନା ପ୍ରଯୁକ୍ତି, ଇଞ୍ଜିନିୟରିଂ, ବୈଜ୍ଞାନିକ ଗବେଷଣା ଓ ଅନ୍ୟାନ୍ୟ ବିଶେଷଜ୍ଞତାଭିତ୍ତିକ କ୍ଷେତ୍ରରେ ଏହି ଭିସାର ବ୍ୟବହାର ହୋଇଥାଏ। ବିଶ୍ୱର ବିଭିନ୍ନ ଦେଶର ଦକ୍ଷ କର୍ମଚାରୀମାନେ ଏହି ଭିସା ମାଧ୍ୟମରେ ଆମେରିକାରେ କାମ କରିବାର ସୁଯୋଗ ପାଆନ୍ତି । ଭାରତୀୟ ଆଇଟି ବୃତ୍ତିଜୀବୀଙ୍କ ମଧ୍ୟରେ ମଧ୍ୟ H-1B ଭିସା ବେଶ୍ ପରିଚିତ।

 

 

Dharitri – Odisha’s No.1 Odia Daily

Share