ଅଦିନିଆ ବର୍ଷାରେ ନଷ୍ଟହେଲା ଧଳାସୁନା

ଭବାନୀପାଟଣା,୨୪।୧୨(ଉତ୍ତମ କୁମାର ଦାଶ)ଚାଷ ଓ ଚାଷୀଙ୍କୁ ନେଇ ପରିଚିତ କଳାହାଣ୍ଡି ଜିଲା। ଧାନ ସହିତ କପା ଓ ଡାଲି ଜାତୀୟ ଶସ୍ୟ, ମାଣ୍ଡିଆ, ଗୁର୍ଜି ଭଳି ବିଭିନ୍ନ ଚାଷକୁ ନେଇ ବିଶ୍ୱଦରବାରରେ ନିଜର ସ୍ବତନ୍ତ୍ର ପରିଚୟ ପାଇଛି କଳାହାଣ୍ଡି। ଧାନ ଉତ୍ପାଦନରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ଜିଲାର ଧଳା ସୁନା କୁହାଯାଉଥିବା କପା ଉତ୍ପାଦନରେ ସବୁଠୁ ଅଗ୍ରଣୀ ଜିଲା ଭାବେ ପରିଚୟ ପାରି ପାରିଛି। ହେଲେ ପାଣିପାଗ ଚାଷୀଙ୍କ ମୁଣ୍ଡରେ ଚଡକ ପକାଇ ଦେଇଛି। ଗତ କିଛି ଦିନ ତଳେ କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ଅଦିନିଆ ବର୍ଷା ହୋଇଥିଲା। ଫଳରେ ଜିଲାରେ କପା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଅଦିନିଆ ବର୍ଷରେ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଛେଳିଆମାଲ ଗାଁର କପା ଚାଷ ଜମିର ଅବସ୍ଥା ବେହାଲ ହୋଇଯାଇଛି। ସ୍ବଳ୍ପ ବର୍ଷା ଫଳରେ କେଉଁଠି କପା ଗଛ ଭାଙ୍ଗି ଯାଇଛି ତ ପୁଣି ଆଉ କେଉଁଠି ଅମଳ ହେବ କପା କଳା ପଡ଼ି ନଷ୍ଟ ହୋଇଯାଇଛି। ଆଉ କେଉଁ କେଉଁଠି ସମ୍ପୂର୍ଣ୍ଣ କପା ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। ଗୋଟିଏପଟେ କପା ମଣ୍ଡି ଖୋଲାଯାଇଥିବା ବେଳେ ଅନ୍ୟପଟେ କପା ସବୁ ନଷ୍ଟ ହୋଇଛି। ଆଉ ଯାହା କିଛି ବଞ୍ଚି ଯାଇଛି ସେହି କପାକୁ ଦଲାଲ କମ ଦରରେ ନେଇ ଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ। ଅନ୍ୟପଟେ କପାକୁ କଳାହାଣ୍ଡି ଜିଲାର ଧଳା ସୁନା କୁହାଯାଉଥିବା ବେଳେ ଦ୍ୱିତୀୟ ଅର୍ଥକାରୀ ଫସଲ ଭାବେ ମଧ୍ୟ ଗ୍ରହଣ କରାଯାଉଛି। ହେଲେ କୋହଲା ପାଗ ସହ ଅଦିନିଆ ବର୍ଷା ଚାଷୀଙ୍କ ପାଇଁ ଦାଉ ସାଧୁଛି। ଅମଳ ସମୟରେ ଏଭଳି ପରିସ୍ଥିତି ଚାଷୀକୁ ଚିନ୍ତାରେ ପକାଇ ଦେଇଛି। କପା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ କପା ଚାଷ କରି ଲାଭବାନ ହେବ ବୋଲି ଚାଷୀ ଆଶା କରିଥିଲେ। ହେଲେ ଅଦିନିଆ ମେଘ ଚାଷୀଙ୍କ ଆଶାକୁ ଦୋଇନେଇଛି। ଚାଷୀମାନଙ୍କ ବ୍ୟାପତ କ୍ଷତି ହୋଇଥିବା ବେଳେ ସରକାରୀ ସହାୟତା ଅପେକ୍ଷା ଜିଲାର କ୍ଷତିଗ୍ରସ୍ତ କପା ଚାଷୀ।

Share