ବାରଣ୍ଡାରେ ଶୋଇଥିବା ବେଳେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ନୂଆ ସାହିରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ବାରଣ୍ଡାରେ ଯୁବକ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟିଦେଇ ଚାଲିଯାଇଛନ୍ତି। ଗୁରୁତର ଯୁବକ ଜଣକ ତୁରୁମୁଙ୍ଗା ନୂଆସହିର ଭାଗୀରଥି ମୁଣ୍ଡା (୨୧)। ତେବେ ଦୁର୍ବୃତ୍ତ ଯୁବକଙ୍କୁ ଆକ୍ରମଣ କରିବା ବେଳେ ସାହି ପଡ଼ିଶା ଲୋକେ ପଟିତୁଣ୍ଡ କରିବାରୁ ଦୁର୍ବୃତ୍ତ ଘଟଣାସ୍ଥଳରେ ବାଇକ୍‌ ଛାଡି ପଳାଇ ଯାଇଛନ୍ତି। ଗୁରୁତର ଅବସ୍ଥାରେ ଭାଗୀରଥିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳ ନିଆଯାଇଛି। ପରକିୟାପ୍ରୀତିରୁ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପକ୍ଷରୁ ଏସ୍‌ଆଇ ଯମୁନା ମାରାଣ୍ଡି, ଏସ୍‌ଆଇ ହରି ଶଙ୍କର ନାଏକ, ଏଏସ୍‌ଆଇ ନରେଶ ଓରାମ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି।