ସମୁଦ୍ରରେ ସ୍ନାନବେଳେ ଚାଲିଗଲା ପ୍ରାଣ

ପୁରୀ ସହର,୫ା୯:ଖୁସିରେ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଇ ସାରି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତେ। ସ୍ତ୍ରୀ ଓ ଝିଅକୁ ଧରି ଗାଧୋଉଥିଲେ। ହେଲେ ସବୁ ଅଧାରେ ରହିଗଲା। ସ୍ନାନ କରିବାବେଳେ କୁନିଝିଅ ଆଗରେ ବାପାଙ୍କ ପ୍ରାଣ ଚାଲିଗଲା। ରବିବାର ସକାଳେ ପୁରୀ ବେଳାଭୂମିରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବରଗଡ଼ ଜିଲାର ରାକେଶ କୁମାର ସାହୁ (୪୦)। ସେ ସମୁଦ୍ରରେ ଗାଧୋଉଥିବାବେଳେ ହଠାତ୍‌ ଅଚେତ ହୋଇ ପଡ଼ିଯାଇଥିଲେ ଓ ସଙ୍ଗେସଙ୍ଗେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ବୋଲି ଜଣାପଡ଼ିଛି। ଏନେଇ ସମୁଦ୍ରକୂଳ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ. ୨୫/୨୨) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଏଥିସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ହାର୍ଟ ଆଟାକ୍‌ କାରଣରୁ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ରାକେଶ ତାଙ୍କ ସ୍ତ୍ରୀ ଓ ୫ବର୍ଷୀୟା କୁନିଝିଅଙ୍କୁ ନେଇ ପୁରୀ ଆସିଥିଲେ। ରାକେଶଙ୍କ ସହିତ ତାଙ୍କର ବନ୍ଧୁ ମଧ୍ୟ ପରିବାରକୁ ଧରି ଆସିଥିଲେ। ଉଭୟ ପରିବାର ଶନିବାର ରାତିରେ ପୁରୀରେ ପହଞ୍ଚିବା ପରେ ସମୁଦ୍ରକୂଳସ୍ଥିତ ଏକ ହୋଟେଲରେ ରହିଥିଲେ। ରବିବାର ସକାଳେ ଗାଧୋଇବା ପାଇଁ ସମସ୍ତେ ସମୁଦ୍ରକୁ ଯାଇଥିଲେ। ସମୁଦ୍ରରେ ଗାଧୋଇବା ବେଳେ ରାକେଶ ଅଚେତ ହୋଇ ପଡ଼ିଯାଇଥିଲେ। ତୁରନ୍ତ ଅନ୍ୟମାନେ ଦୌଡ଼ିଯାଇ ତାଙ୍କୁ ଡାକିବା ସହ ଉଠାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଆଉ ଉଠି ନ ଥିଲେ।
ଶେଷରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ମେଡିକାଲ ପରିସରରେ ଶୋକର ଛାୟା ଖେଳିଯାଇଥିଲା। କୁନି ଝିଅଟି କିଛି ବୁଝି ନ ପାରି ବାପାଙ୍କ ମୃତଦେହ ପାଖେ ବସି ଲୁହ ଝରାଉଥିବାବେଳେ ସ୍ବାମୀଙ୍କୁ ହରାଇ ମହିଳା ଜଣକ ବାହୁନି ବାହୁନି କାନ୍ଦୁଥିଲେ। ଏହି ଦୃଶ୍ୟ ହୃଦୟ ବିଦାରକ ଥିଲା। ପରେ ପୋଲିସ ପହଞ୍ଚି ରାକେଶଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।