କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ ବା ସିଚୁଏଶନରେ କେଉଁ ବୃକ୍ଷ ଲଗାଇବା ଦ୍ୱାରା ମାତ୍ରାଧିକ ଲାଭପ୍ରାପ୍ତି ହେବ, ସେ ବିଷୟରେ ଧ୍ୟାନକେନ୍ଦ୍ରିତ ନ କରି ଆମେ ମନଇଚ୍ଛା ବୃକ୍ଷ ରୋପଣ କରୁଥିବାରୁ ସେ ସବୁ କାର୍ଯ୍ୟରୁ ଯେତେ ଲାଭ ମିଳିବା କଥା ତାହା ମିଳିପାରୁନାହିଁ।
ବର୍ତ୍ତମାନ ବୃକ୍ଷ ରୋପଣର ବିଭିନ୍ନ ଆଧାର ରହିଛି। କିଛି ଲୋକ ଭାବୁଛନ୍ତି ଜଗନ୍ନାଥ ନିମ୍ବ କାଠରେ ତିଆରି, ଆମକୁ ନିମ୍ବ ଗଛ ଲଗାଇବାର ଅଛି। ଆଉ କିଛି ଭାବୁଛନ୍ତି ଦେବଦାରୁ ଭଲ ଦିଶିବ ତେଣୁ ତାକୁ ଲଗାଇବା। ଆଉ କିଛି ଲୋକ ଇଉକାଲିପଟାସକୁ ପସନ୍ଦ କରି ଲଗାଉଥିବା ବେଳେ କିଛି ଲୋକ ବିଦେଶରୁ କେବଳ ପତ୍ର ଥିବା ଶୋ’ଗଛ ଆମଦାନୀ କରି ପାର୍କରେ ଲଗାଇଲେଣି। ଅନେକେ ରାସ୍ତାର ଦୁଇ ପାର୍ଶ୍ୱରେ ଚାକୁଣ୍ଡା ଗଛ ଲଗାଇବାକୁ ପସନ୍ଦ କରୁଛନ୍ତି। ମାତ୍ର ବୃକ୍ଷରୋପଣ ଧାର୍ମିକ ଓ ମନଗତ ପସନ୍ଦ ନ ହୋଇ ବୈଜ୍ଞାନିକ ଆଧାରରେ ହେବା ଆବଶ୍ୟକ। ବୃକ୍ଷ ଚୟନ ପାଇଁ ନିମ୍ନଲିଖିତ ଆଧାରକୁ ବିଚାରକୁ ନେବା ଉଚିତ। ମହତ୍ତ୍ୱପୂର୍ଣ୍ଣ କଥା ହେଲା ଯେଉଁ ବୃକ୍ଷଟିକୁ ଚୟନ କରୁଛନ୍ତି, ସେ ଯେମିତି ଆମ ମାଟି, ପାଣି ଏବଂ ଜୈବ ବିବିଧତାକୁ ନଷ୍ଟ ନ କରି ସୁରକ୍ଷା ପ୍ରଦାନ କରୁଥିବ। ପ୍ରଥମ କଥା ହେଲା ଗଛଟି ପ୍ରଚୁର ମାତ୍ରାରେ ଅମ୍ଳଜାନ ପ୍ରଦାନ କରୁଥିବା ଆବଶ୍ୟକ। ଦ୍ୱିତୀୟ କଥା ହେଲା ଏଥିରେ ପ୍ରଚୁର ଫୁଲ ଫଳ ଫୁଟି ଏହା ଉଭୟ ମନୁଷ୍ୟ ଓ ପଶୁପକ୍ଷୀଙ୍କ ଆବଶ୍ୟକତା ପୂରଣ କରୁଥିବ। ତୃତୀୟ କଥା ହେଲା ବୃକ୍ଷଟିର ଚେର ମାଟିର ଗଭୀର ଅଂଶକୁ ଯାଉଥିବ। ଏହା ମଧ୍ୟ ପର୍ଯ୍ୟାପ୍ତ ଛାୟା ପ୍ରଦାନ କରୁଥିବ। ଏହାର ପତ୍ର ଖୁବ୍‌ କମ୍‌ ସମୟରେ ପଡିଯାଇ ଖତରେ ପରିଣତ ହୋଇ ଯାଉଥିବ। ଏହାର ଚେର କିମ୍ବା ଡାଳପତ୍ର ମାଟିରେ କୌଣସି ପ୍ରକାର ବୃକ୍ଷ ବୃଦ୍ଧି ବିରୋଧୀ ତତ୍ତ୍ୱ କିମ୍ବା ଆଲିଲୋକେମିକାଲ ଛାଡୁ ନ ଥିବେ। ଏହା ଆମକୁ ଗୃହ ଉପଯୋଗୀ କାଠ ପ୍ରଦାନ କରୁଥିଲେ ଭଲ ଏବଂ ଭୂଜଳକୁ ଖୁବ୍‌ ଶୀଘ୍ର ସାରୁ ନ ଥିବ ଇତ୍ୟାଦି ଇତ୍ୟାଦି।
କହିବାକୁ ଗଲେ ବୃକ୍ଷଗୁଡିକ ଜୈବ ବିବିଧତା ସୁରକ୍ଷାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଭାଗୀଦାରି ଥିବେ। ଅଧିକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଯଥା ବରଗଛ, ଓସ୍ତ ଗଛ, ନିମ୍ବଗଛ, ଆମ୍ବ ଗଛ, ଅର୍ଜୁନ ଗଛ, ଅଶୋକ ଗଛକୁ ଲଗାଇବା କଥା। ଖାଦ୍ୟ ପ୍ରଦାନକାରୀ ଗଛ ଯଥା ଆମ୍ବ, ବେଲ, ଜାମୁ, ବଉଳ, ତେନ୍ତୁଳି, କରମଙ୍ଗା, ଆମ୍ବଡା, କଇଥ, ମହୁଲ, ପଣସ ଇତ୍ୟାଦି ଗଛକୁ ମଧ୍ୟ ପ୍ରାଧାନ୍ୟ ଦେବା। କରଞ୍ଜ, ସାଆଡା ପ୍ରଭୃତି ଗଛକୁ ମଧ୍ୟ ଲଗାଇବା ଜରୁରୀ। ସାଆଡା ଫଳକୁ ହଳଦୀବସନ୍ତ ଖାଇ ବଞ୍ଚିଥାନ୍ତି। ମାତ୍ର ସାଆଡା ବୃକ୍ଷ ଅଭାବରୁ ହଳଦୀବସନ୍ତ ବଂଶ ଲୋପ ପାଇବାକୁ ବସିଲାଣି। ଆଜିକାଲି କିଛି ଲୋକଙ୍କର ପସନ୍ଦ ଇଉକାଲିପଟାସ ଓ ଝାଉଁ ଗଛ। ଉଭୟ ଗଛ ପତ୍ର ଛେଦରେ ଅଧିକ ବାଷ୍ପୀକରଣ କରିଥାନ୍ତି ଓ ମୃତ୍ତିକାର ଜଳସବୁ ସାରିଦେଇଥାନ୍ତି। ତେଣୁ ରାସ୍ତା କଡ, ଢିପ ଜମି ଓ ମଧ୍ୟମ କିଷମ ଜମିରେ ଏହାକୁ ନ ଲଗାଇ କେବଳ ଜଳୀୟ ଓ ଜଳାଶ୍ରୟ ସ୍ଥାନରେ ଲଗାଇଲ ଭଲ। ଇଉକାଲିପଟାସର ଆଉ ଏକ ନକାରାତ୍ମକ ଦିଗ ହେଉଛି ଏହା ମୃତ୍ତିକାକୁ ଆଲିଲୋକେମିକାଲ ଛାଡିଥାଏ, ଯଦ୍ଦ୍ବାରା ସେ ଜମିରେ ଅନ୍ୟାନ୍ୟ ବୃକ୍ଷ ବଢିପାରେ ନାହିଁ। ଆମ ରାଜ୍ୟ ବାତ୍ୟାପ୍ରବଣ ରାଜ୍ୟ। ଆମେ ଏମିତି ଗଛ ଲଗାଇବା ଉଚିତ ଯେଉଁମାନଙ୍କର ଚେର ଗଭୀର ମାଟିକୁ ପ୍ରବେଶ କରେ ଏବଂ ବାତ୍ୟାରେ ଉପୁଡେ ନାହିଁ। ପ୍ରାୟ ଦେଶୀ ଗଛ ସବୁର ଚେର ମାଟି ଭିତରକୁ ଯାଏ। ସେଗୁଡିକ ଭଲ। ଧାର୍ମିକ ଦୃଷ୍ଟିକୋଣରୁ ହେଉ କିମ୍ବା ସୌନ୍ଦର୍ଯ୍ୟ ପାଇଁ ହେଉ, ଜନସାଧାରଣ ଗୋଟିଏ ଜାତିର ଗଛକୁ ବହୁ ସଂଖ୍ୟାରେ ଲଗାଇବାକୁ ପସନ୍ଦ କରନ୍ତି; ଯଥା ନିମ୍ବ, ଚାକୁଣ୍ଡା, ଦେବଦାରୁ ଇତ୍ୟାଦି।
ଆମେ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ବଞ୍ଚୁଛେ। ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି, ଥଣ୍ଡାର ମାତ୍ରା ବୃଦ୍ଧି ହ୍ରାସ, ରୋଗପୋକର ଆବିର୍ଭାବ ଏକପ୍ରକାର ବୃକ୍ଷକୁ ସମ୍ପୂର୍ଣ୍ଣ ନଷ୍ଟକରିଦିଅନ୍ତି। ସେପରି ସ୍ଥଳେ ମିଶ୍ରିତ ବୃକ୍ଷଜାତି ରୋପଣ କରିଥିଲେ ଗୋଟେ ଜାତି ବୃକ୍ଷର ମୃତ୍ୟୁ ହେଲେ ଅନ୍ୟଗୁଡିକ ପ୍ରଭାବ ମୁକ୍ତ ହୋଇ ବଞ୍ଚନ୍ତି। ତା’ ଛଡା ବିଭିନ୍ନ ପ୍ରକାର ବୃକ୍ଷ ବିଭିନ୍ନ ପ୍ରକାର ପଶୁପକ୍ଷୀ, କୀଟ ପତଙ୍ଗର ଖାଦ୍ୟ ଓ ବାସସ୍ଥଳୀ ଭାବେ କାମରେ ଲାଗିଥାଏ। ଆମେ ମିଶ୍ରିତ ବୃକ୍ଷ ରୋପଣ କଲେ ଏହା ସବୁଠୁ ଭଲ। କିଛି ଜଙ୍ଗଲ କର୍ମଚାରୀ ଭାବନ୍ତି ଜଙ୍ଗଲ ଅର୍ଥ ଶାଳ, ପିଆଶାଳ, ଶାଗୁଆନ, ଶିଶୁ, ଗମ୍ଭାରୀ ଇତ୍ୟାଦି ଓ ସେଗୁଡିକୁ ଲଗାନ୍ତି। ମାତ୍ର ସେମାନେ ଭାବିବା ଉଚିତ ଯେ ଜଙ୍ଗଲରେ ହାତୀ, ମାଙ୍କଡ, ଭାଲୁ, ଅନ୍ୟାନ୍ୟ ଜୀବଜନ୍ତୁ, ପକ୍ଷୀ, କୀଟପତଙ୍ଗ, ସରୀସୃପ ମଧ୍ୟ ବାସ କରନ୍ତି। ଯଦି ସେମାନଙ୍କ ଖାଦ୍ୟ ବୃକ୍ଷ ବାଉଁଶ, ଆମ୍ବ, ପଣସ, ତେନ୍ତୁଳି, ପିଜୁଳି, କଦଳୀ, ଧାନ, କଇଥ, ବେଲ ଇତ୍ୟାଦି ଆମେ ଜଙ୍ଗଲରେ ନ ଲଗIନ୍ତି, ସେମାନେ ନିଶ୍ଚୟ ଖାଦ୍ୟ ପାଇଁ ଜନବସତିମୁହାଁ ହେବେ। ତେଣୁ ଆଜି ହାତୀ ହେଉ କିମ୍ବା ମାଙ୍କଡ, ସବୁ ଗାଁକୁ ପଳାଇଆସି କୃଷକର ଫସଲ ନଷ୍ଟ କରୁଛନ୍ତି। ବୃକ୍ଷରୋପଣ କଲାବେଳେ ଖାଦ୍ୟଜାତୀୟ ବୃକ୍ଷରୋପଣ କଲେ ଆମେ ସେଥିରୁ ରାଜସ୍ବ ପାଇପାରିବା ଓ ପରିବେଶ ସୁରକ୍ଷା କରିପାରିବା। ବିଶେଷକରି ସରକାରୀ ଜମିରେ ଅର୍ଥକରୀ ବୃକ୍ଷ ଯଥା କାଜୁ, ସପେଟା, ଆତ, ଆମ୍ବ, ପଣସ, ଲିଚୁ, ତେନ୍ତୁଳି, ନଡିଆ ପ୍ରଭୃତି ଗଛ ଲଗାଇଲେ, ଏହା ଆମ ପଞ୍ଚାୟତ କିମ୍ବା ଜିଲା କିମ୍ବା ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତି ମଜଭୁତ କରିବାରେ ସହାୟକ ହୋଇଥାଏ। ଆଜିକାଲି ବଜ୍ରପାତ ଓ ବିଜୁଳି ସ୍ପର୍ଶରେ ଅନେକ ଧନଜୀବନ ନଷ୍ଟ ହେଉଛି। ତେଣୁ ବିଲ ହୁଡା, ଗାଁ ଗଣ୍ଡାରେ ତାଳ ଓ ନଡିଆ ଗଛ ଲଗାଇଲେ ଆମେ ସେ ସମସ୍ୟାରୁ ମୁକ୍ତ ହେବା। ସମୁଦ୍ରକୂଳ ଅଞ୍ଚଳରେ ଝାଉଁ ଓ ହେନ୍ତାଳ, ସମୁଦ୍ରକୂଳ ଗାଁମାନଙ୍କରେ ନଡିଆ ବୃକ୍ଷ ଆଦି ଲଗାଇବାକୁ ହେବ। ମୋଟାମୋଟି ସ୍ଥାନର ପ୍ରକାରଭେଦ, ବୃକ୍ଷର ମୃତ୍ତିକା ଜଳବାୟୁ ପସନ୍ଦ ଓ ଆମର ନାନାବିଧ ଆବଶ୍ୟକତାକୁ ବିଚାରକୁ ନେଇ ଆମେ କେଉଁ ସ୍ଥାନରେ କେଉଁ ବୃକ୍ଷ ରୋପଣ କରିବା ତା’ର ଖସଡା ପ୍ରସ୍ତୁତି କରି ତାକୁ କାର୍ଯ୍ୟକାରୀ କରିବା ଉଚିତ।
ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ବର
ମୋ: ୮୯୧୭୪୨୬୪୪୦

ଡ. ପ୍ରମୋଦ କୁମାର ପଣ୍ଡା

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି…

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

ବର୍ଷେ ନପୂରୁଣୁ ଭୁଶୁଡ଼ିଲା ପୋଲର ଗାର୍ଡ ୱାଲ୍, ରାସ୍ତାରେ ଫାଟକୁ ନେଇ ଜନଅସନ୍ତୋଷ

ଥୁଆମୂଳ ରାମପୁର, ୮ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଓଡ୍ରୀ ଗ୍ରାମପଞ୍ଚାୟତର ଦୋଳଗୁଡ଼ା ଠାରେ ବ୍ୟାପକ ସରକାରୀ ଅନୁଦାନ ହରିଲୁଟ୍‌ର ଚିତ୍ର…

ବଦଳିବ ଗ୍ରାମୀଣ ଚେହେରା, ଆଦର୍ଶ ଗ୍ରାମ ଯୋଜନାରେ ଗଞ୍ଜାମ ଜିଲାର ୧୮୧ ଗାଁ

ଛତ୍ରପୁର,୮।୭(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗତ ୯ ଟି ଆର୍ଥିକ ବର୍ଷର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri