ହାତୀ ଆସିଲେ ମେସେଜ ଆସୁଛି

କେନ୍ଦୁଝର, ୧୮।୯(ସ୍ବ.ପ୍ର.): ଧନଜୀବନ ସୁରକ୍ଷା ଲାଗି ଆଖପାଖ ଅଞ୍ଚଳରେ ହାତୀ ଚଳପ୍ରଚଳ କରୁଥିଲେ ବନବିଭାଗ ଦେଉଛି ଆଗୁଆ ମେସେଜ। ହାତୀ ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଲା ମାତ୍ରେ ମୋବାଇଲକୁ ଆସିଯିବ ଆଗୁଆ ଭଏସ ଓ ଟେକ୍ସଟ ମେସେଜ। ଅନେକ ଅଞ୍ଚଳରେ ମୋବାଇଲ ନେଟଓ୍ବର୍କ ସମସ୍ୟା ଥିଲେ କିମ୍ବା ବିଦ୍ୟୁତ ସମସ୍ୟା ଯୋଗୁ ମୋବାଇଲ ଚାର୍ଜ ହୋଇ ନ ଥିଲେ ହାତୀ ଚଳପ୍ରଚଳ ଅଞ୍ଚଳରେ ମାଇକ ଯୋଗେ ସଚେତନତା ମଧ୍ୟ କରାଯାଉଛି। କେନ୍ଦୁଝର ଜିଲାରେ ଏଭଳି ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଜିଲାରେ ଶନିବାର ୧୪ଟି ପଲରେ ପାଖାପାଖି ୧୩୭ ହାତୀ ଚଳପ୍ରଚଳ କରୁଛନ୍ତି। ଏହି ପଲ ଉପରେ ହାତୀ ସ୍କ୍ବାଡ ନଜର ରଖିଥିବା ବେଳେ ମାଇକ ଯୋଗେ ସୂଚନା ଦେବାକୁ ସ୍ବତନ୍ତ୍ର ଦଳ ପ୍ରସ୍ତୁତ କରାଯାଇଛି। କେନ୍ଦୁଝର ଡିଭିଜନରେ ହାତୀ ଚଳପ୍ରଚଳ ଯୋଗୁ ଗ୍ରାମର ଲୋକଙ୍କ ଫୋନ ନମ୍ବର ନେଇ ଡାଟାବେସ ପ୍ରସ୍ତୁତ ହୋଇଛି। ହାତୀ ଯେଉଁ ଅଞ୍ଚଳମୁହଁା ହୋଇଥାଏ ସେହି ଅଞ୍ଚଳର ଲୋକଙ୍କୁ ମୋବାଇଲ ମେସେଜ ବା ଭଏସ୍‌ ମେସେଜ ଦ୍ୱାରା ଆଗୁଆ ସୂଚନା ଦିଆଯାଉଛି। ଫଳରେ ଲୋକମାନେ ଯାତାୟାତ କରନ୍ତି ନାହିଁ କିମ୍ବା ଜଙ୍ଗଲକୁ ଯାଇ ନ ଥାନ୍ତି। ସେହିପରି ଏହି ମେସେଜ ସ୍ଥାନୀୟ ସରପଞ୍ଚ, ଜିଲାପରିଷଦ ସଭ୍ୟା/ସଭ୍ୟ, ବିଧାୟକ, ବିଡିଓ, ତହସିଲଦାରଙ୍କୁ ମଧ୍ୟ ଦିଆଯାଉଛି। ଫଳରେ ସମସ୍ତେ ହାତୀର ଗତିବିଧି ଓ ଚଳପ୍ରଚଳ ବିଷୟରେ ଅବଗତ ହୋଇପାରିବେ। ସମସ୍ତଙ୍କ ସହଯୋଗ ରହିଲେ ଏହାର ସମାଧାନ ହୋଇପାରିବ। ଏ ନେଇ ସମସ୍ତଙ୍କୁ ସୂଚନା ଦେବା ଲାଗି ବ୍ୟବସ୍ଥା କରାଯାଇଛି। ସମସ୍ତେ ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି କେନ୍ଦୁଝର ଡିଏଫଓ ଏଚ୍‌.ଡି. ଧନରାଜ କହିଛନ୍ତି।