ନୂଆଦିଲ୍ଲୀ,୯।୧: ନାଜି ଶାସକ ଆଡଲଫ୍ ହିଟଲର ବନାରସରେ ଶବଦାହକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଏବେ ଚର୍ଚ୍ଚାରେ। ହିଟଲରଙ୍କ ଦ୍ୱାରା ଦିଆଯାଇଥିବା କିଛି ବ୍ୟକ୍ତିଗତ ମନ୍ତବ୍ୟ ତାଙ୍କର ସାଂସ୍କୃତିକ ପକ୍ଷପାତିତା ଏବଂ ନାଜି ବିଚାରଧାରାକୁ ଉଜାଗର କରୁଛି। ୧୯୪୧ରୁ ୧୯୪୪ ମଧ୍ୟରେ ରେକର୍ଡ କରାଯାଇ ପରବର୍ତ୍ତୀ ସମୟରେ ପ୍ରକାଶିତ ‘ହିଟଲରଙ୍କ ଟେବୁଲ ଟକ୍’ ଶୀର୍ଷକ ପୁସ୍ତକରେ ବାରାଣସୀରେ ଗଙ୍ଗା କୂଳରେ ହେଉଥିବା ଶବଦାହ ପ୍ରଥା ଉପରେ ଏକ ବିବାଦୀୟ ମନ୍ତବ୍ୟ ରହିଛି।
ଏହି ପୁସ୍ତକରେ ହିଟଲର ହିନ୍ଦୁ ଶବଦାହ ପ୍ରଥାକୁ ‘ଅସୁସ୍ଥତା’ ଏବଂ ‘ଅପରିଷ୍କାର’ ଭାବେ ବର୍ଣ୍ଣନା କରି ଏହା ଉପରେ ତୀବ୍ର ବିରକ୍ତି ପ୍ରକାଶ କରିଥିଲେ। ସେ ଦାବି କରିଥିଲେ ଯେ ଯଦି ପାଶ୍ଚାତ୍ୟର ‘ସ୍ୱଚ୍ଛତା ବିଶେଷଜ୍ଞ’ମାନେ ଭାରତରେ ଶାସନ କରିଥାନ୍ତେ, ତେବେ ସେମାନେ ଏହି ପ୍ରଥା ଉପରେ କଠୋର ନିୟନ୍ତ୍ରଣ ଲଗାଇଥାନ୍ତେ।
ଐତିହାସିକମାନଙ୍କ ମତରେ, ହିଟଲରଙ୍କ ଏହି ମନ୍ତବ୍ୟ ତାଙ୍କର ଗଭୀର ସାଂସ୍କୃତିକ ଓ ଜାତିଗତ ଉତ୍କର୍ଷ ଚିନ୍ତାଧାରାକୁ ଦର୍ଶାଉଛି, ଯେଉଁଥିରେ ସେ ଅଣ-ୟୁରୋପୀୟ ସଂସ୍କୃତିକୁ ଅନୁନ୍ନତ ଓ ଅସଭ୍ୟ ବୋଲି ଭାବୁଥିଲେ।
ହିଟଲର ବ୍ରିଟିଶ ଶାସନକୁ ସମାଲୋଚନା କରୁଥିଲେ ମଧ୍ୟ, ତାଙ୍କର ଏହି ମନ୍ତବ୍ୟରେ ଉପନିବେଶବାଦର କଠୋର ନିୟନ୍ତ୍ରଣ ପ୍ରତି ପ୍ରଶଂସା ଏବଂ ନିର୍ଦ୍ଦୟ ଅହଂକାର ଭରି ରହିଛି। ସେ ଧାର୍ମିକ ପ୍ରଥାକୁ ସ୍ୱଚ୍ଛତାର ସମସ୍ୟା ଭାବେ ଦର୍ଶାଇ କ୍ଷମତା ଜରିଆରେ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ।
ହିଟଲରଙ୍କ ‘ଟେବୁଲ ଟକ୍’ ତାଙ୍କର ନିକଟତମ ସହଯୋଗୀଙ୍କ ଦ୍ୱାରା ୧୯୪୧ ରୁ ୧୯୪୪ ମଧ୍ୟରେ ଲିପିବଦ୍ଧ ହୋଇଥିଲା। ଐତିହାସିକମାନେ ଏହାର ଶବ୍ଦଗତ ସଠିକତା ଉପରେ ସନ୍ଦେହ ପ୍ରକାଶ କରିଥିଲେ ମଧ୍ୟ ଏହାକୁ ହିଟଲରଙ୍କ ମାନସିକତା ଏବଂ ନାଜି ବିଚାରଧାରାକୁ ବୁଝିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ରୋତ ଭାବେ ବିବେଚନା କରନ୍ତି।


