Categories: ବାଣିଜ୍ୟ

ବିଶ୍ୱ ବଜାରରେ ଗହମ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ,୧୭।୫ ଭାରତ ସରକାରଙ୍କ ପକ୍ଷରୁ ଶନିବାର ଗହମ ରପ୍ତାନି ଉପରେ କଟକଣା ଲଗାଯିବା ପରେ ସୋମବାର ବିଶ୍ୱ ବଜାରରେ ଏହାର ଦର ରେକର୍ଡ ସ୍ତରରେ ପହଞ୍ଚିଛି। ଅନ୍ୟପଟେ ୟୁକ୍ରେନ୍‌-ରୁଷ୍‌ ଯୁଦ୍ଧ ହେବା ପରଠାରୁ ଗହମ ଦରରେ ଲଗାତର ବୃଦ୍ଧି ଦେଖିବାକୁ ମିଳିଥିଲା। ଖାଦ୍ୟ ସୁରକ୍ଷାକୁ ନଜରରେ ରଖି ଭାରତ ସରକାର ଗହମ ରପ୍ତାନି ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ୟୁରୋପୀୟ ବଜାରରେ ସୋମବାର ଗହମ ଦର ଟନ୍‌ ପିଛା ୩୩୫ ୟୁରୋ (୪୫୩ ଡଲାର କିମ୍ବା ୩୫,୨୮୨.୭୩ ଟଙ୍କା)ରେ ପହଞ୍ଚିଛି। ପ୍ୟାରିସ୍‌ରେ ଗହମ ଦର ସୋମବାର ଟନ୍‌ ପିଛା ୫.୧% ବୃଦ୍ଧି ପାଇ ୪୩୧.୭୫ ୟୁରୋ (୪୫୦ ଡଲାର) ଏବଂ ଚିକାଗୋରେ ଏକ ବୁସେଲ୍‌ରେ ୫.୯% ବୃଦ୍ଧି ପାଇ ୧୨.୪୫୭ ଡଲାର ହୋଇଛି। ଏହା ପୂର୍ବରୁ ଏପ୍ରିଲରେ ଗହମର ହୋଲ୍‌ସେଲ୍‌ ଦରରେ ମଧ୍ୟ ୫%-୭% ବୃଦ୍ଧି ହୋଇଥିଲା। ସମୟ ପୂର୍ବରୁ ଅଧିକ ଗରମ ଅନୁଭୂତ ହେବା କାରଣରୁ ଏହା ଗହମ ଫସଲ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଫଳରେ ସରକାର ଚଳିତ ଆର୍ଥିକ ବର୍ଷରେ ଗହମ ଉତ୍ପାଦନ ପରିମାଣରେ ୫.୭% ହ୍ରାସ ହେବ ନେଇ ଅନୁମାନ କରାଯାଉଛି। ଚଳିତ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ପକ୍ଷରୁ ୧୧.୧୩ କୋଟି ଟନ୍‌ ଗହମ ଉତ୍ପାଦନ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ତାହା ୧୦.୫୦ କୋଟି ଟନ୍‌କୁ ହ୍ରାସ ପାଇଛି। ୨୦୨୧-୨୨ରେ ୧୦.୯୫ କୋଟି ଟନ୍‌ ଗହମ ଉତ୍ପାଦନ ହୋଇଥିଲା। ଫଳରେ ବିଶ୍ୱର ୨ୟ ସର୍ବାଧିକ ଗହମ ଉତ୍ପାଦନକାରୀ ଭାରତ ରପ୍ତାନି ଉପରେ କଟକଣା ଲଗାଇଛି। ଭାରତର ଏହି ନିଷ୍ପତ୍ତିକୁ ଜି-୭ ଦେଶଗୁଡ଼ିକ ପକ୍ଷରୁ ନିନ୍ଦା କରାଯାଇଥିଲା। ଏ ସମ୍ପର୍କରେ ଜି-୭ ଦେଶ ଜର୍ମାନର କୃଷିମନ୍ତ୍ରୀ କେମ୍‌ ଓଜଡେମିକର କହିଛନ୍ତି, ଦେଶଗୁଡ଼ିକ ରପ୍ତାନି ବନ୍ଦ କରିଦେଲେ ବିଶ୍ୱସ୍ତରରେ ସଙ୍କଟ ଦେଖା ଦେବ। ଜି-୨୦ ସଦସ୍ୟ ଭାବରେ ଭାରତ ନିଜ ଦାୟିତ୍ୱ ସମ୍ପାଦନ କରିବା ଆବଶ୍ୟକ ବୋଲି ଓଜଡେମିକ କହିଛନ୍ତି। ଅନ୍ୟପଟେ ଜି-୭ ଦେଶର ସମାଲୋଚନା ସତ୍ତ୍ୱେ ଭାରତର ନିଷ୍ପତ୍ତିକୁ ସମର୍ଥନ କରିଛି ଚାଇନା। ଭାରତ ଭଳି ବିକାଶଶୀଳ ଦେଶକୁ ଦୋଷ ଦେଲେ ବିଶ୍ୱ ଖାଦ୍ୟ ସଙ୍କଟ ଦୂର ହେବନି ବୋଲି ଚାଇନା ପକ୍ଷରୁ କୁହାଯାଇଛି।

Share