ନୂଆଦିଲ୍ଲୀ,୧।୧: ଭାରତର ଭୁଲ ମାନଚିତ୍ର ଶେୟାର ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ତାଗିଦ କରିବା ପରେ ହ୍ବାଟ୍ସଆପ୍ ଆପ କ୍ଷମା ମାଗିଛି। ଅଜାଣତରେ ଭୁଲ ପାଇଁ କ୍ଷମା ମାଗୁଛୁ ଏବଂ ଭବିଷ୍ୟତରେ ଏହାର ଯତ୍ନ ନେବ ବୋଲି ହ୍ବାଟ୍ସଆପ୍ ଆପ କହିଛି।
ମେଟା ମାଲିକାନା ମେସେଜିଂ ଆପ ହ୍ବାଟ୍ସଆପ୍ ଆପ ଏହାର ଟୁଇଟର୍ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଥିଲା। ଭିଡିଓରେ ଭାରତର ମାନଚିତ୍ର ଭୁଲ ଭାବରେ ଦେଖାଯାଇଥିଲା। ଭିଡିଓରେ ଜମ୍ମୁ କଶ୍ମୀରର ଅଂଶକୁ ଟାମ୍ପରିଂ କରାଯାଇଥିଲା। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି କାର୍ଯ୍ୟ ପାଇଁ ହ୍ବାଟ୍ସଆପ୍ ଆପ୍କୁ ତାଗିଦ କରି ଭିଡିଓ ଠିକ କରିବାକୁ କହିଥିଲେ। ଏହାପୂର୍ବରୁ ଭାରତର ଭୁଲ ମାନଚିତ୍ର ଶେୟାର ପାଇଁ ମନ୍ତ୍ରୀ ଜୁମ ସିଇଓ ଏରିକ ୟୁଆନଙ୍କୁ ନିନ୍ଦା କରିଥିଲେ।
ରାଜୀବ ଚନ୍ଦ୍ରଶେଖର ହ୍ବାଟ୍ସଆପ୍ ଆପ୍ ଭିଡିଓକୁ ଜବାବ ଦେଇ କହିଛନ୍ତି,ପ୍ରିୟ ହ୍ବାଟ୍ସଆପ୍ ଆପ, ଆପଣଙ୍କୁ ଯଥାଶୀଘ୍ର ଭାରତର ମାନଚିତ୍ରର ଭୁଲ ସଂଶୋଧନ କରିବାକୁ ଅନୁରୋଧ କରାଯାଉଛି। ଭାରତରେ ବ୍ୟବସାୟ କରୁଥିବା କିମ୍ବା ଭାରତରେ ବ୍ୟବସାୟ ଜାରି ରଖିବାକୁ ଚାହୁଁଥିବା ସମସ୍ତ ପ୍ଲାଟଫର୍ମ ମାନଚିତ୍ରକୁ ସଠିକ ବ୍ୟବହାର କରାଯିବା ଉଚିତ୍।


