ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର ଯାଦବ। ମ୍ୟାଚ୍ ପୂର୍ବରୁ ଅଧିନାୟକଙ୍କ ଆତ୍ମବିଶ୍ୱାସ ଏବଂ ସ୍ପଷ୍ଟବାଦିତା ଭାରତୀୟ ପ୍ରଶଂସକଙ୍କୁ ବେଶ ଉତ୍ସାହିତ କରିଛି।
ଜିତିବା ପାଇଁ ରଣହୁଙ୍କାର ଭରି ସୂର୍ଯ୍ୟା କହିଛନ୍ତି, “ଆମେ ଭଲ କ୍ରିକେଟ ଖେଳିବୁ ଏବଂ ଜିତିବା ଲକ୍ଷ୍ୟରେ ଓହ୍ଲାଇବୁ। ମୁଁ ସାମାନ୍ୟ ନର୍ଭସ ଅଛି, କାରଣ ଯଦି ଆପଣ ନର୍ଭସ ହେବେ ନାହିଁ, ତେବେ ନିଜ ଭିତରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ବାହାର କରିପାରିବେ ନାହିଁ।” ପିଚ ବିଷୟରେ ସେ କହିଛନ୍ତି ଯେ କଳା କିମ୍ବା ନାଲି ମାଟି, ଯେକୌଣସି ପିଚ ହେଉ ଆମକୁ କିଛି ଫରକ ପଡ଼େନି।
ବରୁଣ ଚକ୍ରବର୍ତ୍ତୀଙ୍କ ଖରାପ ଫର୍ମକୁ ନେଇ ପଚରାଯାଇଥିବା ପ୍ରଶ୍ନର ଜବାବରେ ଅଧିନାୟକ କହିଛନ୍ତି, “ସେ ଦୁନିଆର ନମ୍ବର ୱାନ୍ ବୋଲର। ଏହା ଏକ ଦଳଗତ ଖେଳ, ଜଣଙ୍କର ଖରାପ ପ୍ରଦର୍ଶନ ସତ୍ତ୍ୱେ ଆମେ ମ୍ୟାଚ ଜିତୁଛୁ।” ସେହିଭଳି ନ୍ୟୁଜିଲାଣ୍ଡ ଅଧିନାୟକ ସାଣ୍ଟର୍ନର ଦେଇଥିବା ଭାରତକୁ ୨୫୦ ରନ ତଳେ ରୋକିବା ବୟାନକୁ ନେଇ ସୂର୍ଯ୍ୟା ହସି ହସି କହିଛନ୍ତି ଯେ, ସେ ମିଛ କହୁଛନ୍ତି। ପରିସ୍ଥିତି ଅନୁଯାୟୀ ସେ ରନ ସଂଗ୍ରହ କରିବେ।
ଟିମ୍ର ରଣନୀତିକୁ ନେଇ ସୂର୍ଯ୍ୟା କହିଛନ୍ତି ଯେ ସେ ଏବଂ କୋଚ ଗୌତମ ଗମ୍ଭୀର ମିଶି ବଡ଼ ନିଷ୍ପତ୍ତି ନିଅନ୍ତି। ଗମ୍ଭୀରଙ୍କ ମନ୍ତ୍ର ସ୍ପଷ୍ଟ “ଦଳ ପାଇଁ ଖେଳ, ବ୍ୟକ୍ତିଗତ ରେକର୍ଡ (Personal Milestone) ପାଇଁ ନୁହେଁ।” ଅକ୍ଷର ପଟେଲଙ୍କୁ ଦଳରୁ ବାହାର କରିବା ଭଳି କଠୋର ନିଷ୍ପତ୍ତି ମଧ୍ୟ ଦଳର ସ୍ବାର୍ଥ ପାଇଁ ନିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।
ଏହାଛଡ଼ା ଡ୍ରେସିଂ ରୁମ୍ରେ ଜୁନିୟର ଖେଳାଳିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ସୂର୍ଯ୍ୟା ମଜାରେ କହିଛନ୍ତି, “ଡ୍ରେସିଂ ରୁମ୍ରେ ମୋ କଥା କେହି ଶୁଣନ୍ତି ନାହିଁ। ସେମାନେ ହିଁ ମୋ ଉପରେ ଦାଦାଗିରି କରନ୍ତି। କିନ୍ତୁ ମୁଁ ବୁଝିଛି ଯେ ସେମାନଙ୍କୁ ଖୋଲା ଛାଡ଼ିଦେଲେ ହିଁ ଶ୍ରେଷ୍ଠ ପ୍ରଦର୍ଶନ ମିଳିଥାଏ। ସେମାନଙ୍କ ଉପରେ ବଡ଼ ଭାଇ କିମ୍ବା ବାପା ହେବାକୁ ଚେଷ୍ଟା କଲେ କିଛି ଲାଭ ହେବନି।”
ମ୍ୟାଚ ସୂଚନା:
କେବେ: ୮ ମାର୍ଚ୍ଚ, ୨୦୨୬ (ରବିବାର)
କେଉଁଠି:ନରେନ୍ଦ୍ର ମୋଦୀ ଷ୍ଟାଡିୟମ, ଅହମ୍ମଦାବାଦ
ସମୟ: ସନ୍ଧ୍ୟା ୭:୦୦ (IST)
ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

