Categories: ଖେଳ

ମାତୃତ୍ୱ ଲାଭ ପରେ କ’ଣ କହିଲେ ନତାଶାଙ୍କ ପୂର୍ବତନ ପ୍ରେମିକ

ନୂଆଦିଲ୍ଲୀ, ୧।୮: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ବର୍ଷ ବେଶ୍‌ ସ୍ମରଣୀୟ ହୋଇ ରହିବ। ମୁମ୍ବାଇ ଇଣ୍ଡିଆନ୍ସର ଏହି ପ୍ରମୁଖ ଖେଳାଳି ନିକଟରେ ପ୍ରଥମ ଥର ଲାଗି ପିତୃତ୍ୱ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ସର୍ବିୟ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍‌ ଗୁରୁବାର ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ପାଣ୍ଡ୍ୟା ମଧ୍ୟ ପ୍ରଥମ ଥର ଲାଗି ଶନିବାର ନବଜାତ ସନ୍ତାନର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଖୁସି ଜାହିର କରିଛନ୍ତି। ପୁଅକୁ କୋଳରେ ଧରିଥିବା ପାଣ୍ଡ୍ୟାଙ୍କ ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଛନ୍ତି। ଏହି ଅବସରରେ ନତାଶାଙ୍କ ପୂର୍ବତନ ପ୍ରେମିକ ତଥା ଟିଭି ଅଭିନେତା ଅଲି ଗୋନି ମଧ୍ୟ ପାଣ୍ଡ୍ୟା ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନତାଶାଙ୍କ ସହ ଏକାଠି ଥିବା ଏକ ପୁରୁଣା ଫଟୋକୁ ଅଲି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଯେଉଁଥିରେ କ୍ୟାପ୍‌ସନରେ ଉଲ୍ଲେଖ କରିଛନ୍ତି, ‘ହେ ମମି ବନିଗଲ, ନତାଶା ଓ ହାର୍ଦ୍ଦିକ ପାଣ୍ଡ୍ୟା ତୁମକୁ ବଧାଇ।’ ଅଲିଙ୍କ ଏହି ପୋଷ୍ଟକୁ ନତାଶା ମଧ୍ୟ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଠାରେ ଉଲ୍ଳେଖଯୋଗ୍ୟ, ୨୯ ବର୍ଷୀୟ ଅଲି ଗୋନି ହେଉଛନ୍ତି ଜଣେ ଅଭିନେତା। ସେ ଟେଲିଭିଜନ ଜଗତରେ ପରିଚିତ ଚେହେରା। ଏତତ୍‌ବ୍ୟତୀତ ‘ନଚ୍‌ ବଲିଏ-୯’ରେ ସେ ନତାଶାଙ୍କ ସହ ଏକାଠି ନାଚୁଥିବାର ଦେଖିବାକୁ ମିଳିଥିଲା। ଗୋନି ଓ ନତାଶା ୨୦୧୪ରୁ ପରସ୍ପର ସହ ଡେଟିଂରେ ଥିଲେ। କିନ୍ତୁ ପରେ ଉଭୟ ଅଲଗା ହୋଇଯାଇଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ନତାଶା ଓ ପାଣ୍ଡ୍ୟାଙ୍କ ମଧ୍ୟରେ ନିର୍ବନ୍ଧ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଥିଲା।

Share