ନୀରବ ଘାତକ ଭାବରେ ଗଣନା କରାଯାଉଥିବା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ହେଉଛି ଡାଇବେଟିସ୍ ବା ମଧୁମେହ। ଏହା ପଛରେ ଅନେକ କାରଣ ରହିଛି। ତେବେ ଟାଇପ ୧ ଡାଇବେଟିସ ପାଇଁ ରୋଟୋଭାଇରସ ଇନ୍ଫେକଶନ କେତେକାଂଶରେ ଦାୟୀ ବୋଲି ଏକ ସର୍ଭେରୁ ଜଣାପଡ଼ିଛି।
ଟାଇପ ୧ ଡାଇବେଟିସ ହେଉଛି ଏକ ଦୀର୍ଘକାଳୀନ ଅଟୋଇମ୍ୟୁନ୍ ରୋଗ। ଯେଉଁଥିରେ ଶରୀରର ପ୍ରତିରୋଧକ ଶକ୍ତି ଭୁଲବଶତଃ ଅଗ୍ନ୍ୟାଶୟରେ ଥିବା ଇନସୁଲିନ୍ ତିଆରି କରୁଥିବା କୋଷଗୁଡ଼ିକୁ ନଷ୍ଟ କରିଦିଏ।
ଏହା ଫଳରେ ଶରୀରରେ ଇନସୁଲିନ୍ ହରମୋନ୍ ଆଦୌ ତିଆରି ହୋଇପାରେ ନାହିଁ କିମ୍ବା ଅତି କମ୍ ପରିମାଣରେ ତିଆରି ହୁଏ। ଇନସୁଲିନ୍ ବିନା, ରକ୍ତରେ ଥିବା ଶର୍କରା (ଗ୍ଲୁକୋଜ୍) କୋଷଗୁଡ଼ିକ ଭିତରକୁ ପ୍ରବେଶ କରି ଶକ୍ତି ଯୋଗାଇପାରେ ନାହିଁ, ଯାହା ଫଳରେ ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି ପାଏ।ଉକ୍ତ ବିଷୟ ନେଇ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ କରିଥିବା ସର୍ଭେରୁ ଏକଥା ଜଣାପଡ଼ିଛି।
କେତେ ଜଣ ଟାଇପ-୧ ଡାଇବେଟିସ୍ ସମସ୍ୟା ସହ ଜଡ଼ିତ ବ୍ୟକ୍ତିଙ୍କୁ ଏହାର ପରିସରଭୁକ୍ତ କରାଯାଇଥିଲା। ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥାକୁ ତନ୍ନ ତନ୍ନ କରି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ତର୍ଜମା କରିବା ପରେ ଏଭଳି ତଥ୍ୟ ବିଷୟରେ ସୂଚନା ପାଇଛନ୍ତି। ତେବେ ଏହାର ଉପଚାର ମଧ୍ୟ ରହିଛି। ତେଣୁ ଟାଇପ-୧ ଡାଇବେଟିସ୍ ରୋଗୀ ନିୟମିତ ସମୟ ବ୍ୟବଧାନରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇନେବା ଆବଶ୍ୟକ। କେବଳ ସେତିକି ନୁହେଁ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ସହ ନିୟମିତ ବ୍ୟାୟାମ ଏବଂ ନିଜର ଖାଦ୍ୟପେୟ ପ୍ରତି ସତର୍କ ରହିବା ନିହାତି ଦରକାର।