ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ ଏହି ଖବର ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଓ୍ବାର ଦ୍ୱାରା ଘୋଷଣା କରାଯାଇଥିଲା। ସେହିଦିନ ଆମେରିକାର ରାଷ୍ଟ୍ରପତି ଫ୍ରାନ୍ସରେ ଆମ ପ୍ରଧାନମନ୍ତ୍ରୀଙ୍କୁ ଭେଟି କହିଥିଲେ, ”ମୋଦି ହେଉଛନ୍ତି ଜଣେ ଦୃଢ଼ ବୁଝାମଣାକାରୀ। ଏହି ବ୍ୟକ୍ତିଙ୍କୁ ଲକ୍ଷ୍ୟ କରନ୍ତୁ, ସେ ଦେବଦୂତ ଭଳି ସୁନ୍ଦର ଦେଖାଯାଉଛନ୍ତି। କିନ୍ତୁ ପ୍ରକୃତରେ ସେ କଠୋର, ତେଣୁ ତାଙ୍କୁ ବୁଝିବା କଷ୍ଟକର। ଏମିତି ବହୁତ କମ୍‌ ଲୋକ ଅଛନ୍ତି।“ ଜୁନ୍‌ ୧୭ର ଏହି ଦୁଇ ଘଟଣା କେତେକାଂଶରେ ପରସ୍ପର ସହ କେମିତି ଜଡ଼ିତ ଆଲୋଚନା କରିବା।
ଫେବୃଆରୀ ୨୦୧୮ରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ଆମେରିକା ‘ଇଣ୍ଡୋ-ପାସିଫିକ୍‌’ (ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ) ପାଇଁ ରଣନୀତି ପ୍ରସ୍ତୁତ କରିଥିଲା। ଏହାର ଲକ୍ଷ୍ୟ ଥିଲା ଚାଇନାର ପ୍ରଭାବକୁ ରୋକିବା ସହ ଆମେରିକାର ରଣନୀତିକ ପ୍ରାଧାନ୍ୟ ବଜାୟ ରଖିବା। ଆମେରିକା ଚାହୁଁଥିଲା, ସୁରକ୍ଷା କ୍ଷେତ୍ରରେ ଭାରତ ତାହାର ପ୍ରମୁଖ ସହଯୋଗୀ ହେଉ ଏବଂ ଚାଇନାର ପ୍ରଭାବକୁ ପ୍ରତିହତ କରୁ। ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ଅଂଶୀଦାର ଭାବରେ ଗଢ଼ିତୋଳି କିଭଳି ଚାଇନାର ସାମରିକ ପ୍ରଭାବ ଓ ରଣନୀତିକ କ୍ଷମତାକୁ ପ୍ରତିହତ କରାଯାଇପାରିବ ତାହା ଥିଲା ଆମେରିକାର ଲକ୍ଷ୍ୟ। ଭାରତ କାହିଁକି ଚୁକ୍ତିରେ ସାମିଲ ହେଲା ତାହା ଜଣାପଡ଼ୁ ନାହିଁ। ସଂସଦରେ କୌଣସି ଆଲୋଚନା ନ କରି, ଗଣମାଧ୍ୟମକୁ କୌଣସି ସାକ୍ଷାତ୍‌କାର ନ ଦେଇ, କୌଣସି ସାମ୍ବାଦିକ ସମ୍ମିଳନୀ ନ କରି ଏବଂ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ନ କରି, ମୋଦି ଚାଇନା ବିରୋଧୀ ରଣନୀତିକ ଭାଗୀଦାରି ଓ ସାମରିକ ମେଣ୍ଟ ମଧ୍ୟକୁ ଭାରତକୁ ଠେଲିଦେଲେ। ଫେବୃଆରୀ ୨୦୨୦ରେ, ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ମୋଦି ଏହି ଚୁକ୍ତିନାମାକୁ ଆହୁରି ମଜଭୁତ କରିଥିଲେ। ୨୭ ଅକ୍ଟୋବର ୨୦୨୦ରେ ଆମେରିକା ପ୍ରତିରକ୍ଷା ସଚିବ ମାଇକ୍‌ ପମ୍ପେଓଙ୍କ ଗସ୍ତ ସମୟରେ ଭାରତ ବେସିକ୍‌ ଏକ୍ସଚେଞ୍ଜ ଆଣ୍ଡ କୋଅପରେଶନ ଏଗ୍ରିମେଣ୍ଟ (ବିଇସିଏ)ସ୍ବାକ୍ଷର କରିଥିଲା; ଯେଉଁଥିରେ ଭାରତୀୟ ସେନାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ଗୁଡ଼ିକର ଟାର୍ଗେଟ କ୍ଷମତାରେ ଉନ୍ନତି ଆଣିବା ପାଇଁ ଆମେରିକୀୟ ଗୁପ୍ତଚର ସୂଚନା ହାସଲ କରିବାରେ ସାହାଯ୍ୟ କରିବା ବ୍ୟବସ୍ଥା ରଖାଯାଇଥିଲା। ଏହାବାଦ୍‌ ଲଜିଷ୍ଟିକ ଏକ୍ସଚେଞ୍ଜ ମେମୋରାଣ୍ଡମ ଅଫ୍‌ ଏଗ୍ରିମେଣ୍ଟ (ଏଲ୍‌ଇଏମ୍‌ଓଏ) ସ୍ବାକ୍ଷରିତ ହୋଇଥିଲା, ଯେଉଁଥିରେ ଦୁଇ ଦେଶର ସେନାଙ୍କୁ ପରସ୍ପରଙ୍କ ସାମରିକ ଘାଟି, ବନ୍ଦର ଓ ବିମାନଘାଟି ବ୍ୟବହାର କରିବା, ଇନ୍ଧନ, ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ସାମରିକ ସେବା ନେବାର ସୁବିଧା କରାଯାଇଥିଲା।
ଦିଲ୍ଲୀରେ ବିଇସିଏ ଚୁକ୍ତି ସ୍ବାକ୍ଷର କରିବା ଅବସରରେ ପମ୍ପେଓ ଚାଇନାକୁ ସିଧାସଳଖ ଆକ୍ରମଣ କରି କହିଥିଲେ, ଆମେରିକା ଓ ଭାରତ କେବଳ ଚାଇନା କମ୍ୟୁନିଷ୍ଟ ପାର୍ଟି ନୁହେଁ, ସମସ୍ତ ପ୍ରକାର ବିପଦ ବିରୋଧରେ ପଦକ୍ଷେପ ନେଉଛନ୍ତି। ପ୍ରତିରକ୍ଷା ସଚିବ ମାର୍କ ଏସ୍‌ପର କହିଥିଲେ, ଚାଇନାର ବଢୁଥିବା ଆକ୍ରମଣାତ୍ମକ ମନୋଭାବକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ଇଣ୍ଡୋ-ପାସିଫିକକୁ ମୁକ୍ତ କରିବା ଲାଗି ଆମେ କାନ୍ଧକୁ କାନ୍ଧ ମିଳାଇଛୁ। ପମ୍ପେଓ ଏବଂ ଏସ୍‌ପରଙ୍କ ପାଖରେ ଠିଆ ହୋଇଥିବା ରାଜନାଥ ସିଂହ ଏବଂ ଜୟଶଙ୍କର ଚାଇନାର ନାଁ ଧରି ନ ଥିଲେ। ରାଜନାଥ ସିଂହଙ୍କ ଭାଷଣରେ, ଉତ୍ତର ସୀମାରେ ସମ୍ମୁଖୀନ ହେଉଥିବା ଆକ୍ରମଣାତ୍ମକ ପରିସ୍ଥିତି ବିଷୟରେ ଥିବା ଏକ ବାକ୍ୟକୁ ହଟାଇ ଦିଆଯାଇଥିଲା। କିନ୍ତୁ ଅନୁବାଦକ ତାହାକୁ ପଢ଼ିଦେଇଥିଲେ ଏବଂ ଆମେରିକା ମଧ୍ୟ ସେହି ମୂଳ ପାଠକୁ ପ୍ରକାଶ କରିଦେଇଥିଲା। ରାଜନାଥ ସିଂହଙ୍କ ସମ୍ପୂର୍ଣ୍ଣ ବକ୍ତବ୍ୟକୁ ଆମେରିକା ସାର୍ବଜନୀନ କଲାବେଳେ ଚାଇନା କହିଥିଲା, ଚାଇନାକୁ ଦମନ କରିବା ପାଇଁ ଭାରତ – ପ୍ରଶାନ୍ତ ମହାସାଗରୀୟ ରଣନୀତିକୁ ଆମେରିକା ବ୍ୟବହାର କରୁଛି। ହେଲେ ଭାରତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲା। ଆମେରିକାର ଇଣ୍ଡୋ-ପାସିଫିକ ରଣନୀତି ପ୍ରସ୍ତୁତ ହେବାର କିଛି ସପ୍ତାହ ପରେ କମ୍ୟୁନିକେଶନ୍ସ କମ୍ପାଟିବିଲିଟି ଆଣ୍ଡ ସିକ୍ୟୁରିଟି ଏଗ୍ରିମେଣ୍ଟ (ସିଓଏମ୍‌ସିଏଏସ୍‌ଏ) ସ୍ବାକ୍ଷରିତ ହୋଇଥିଲା। ଏହା ଭାରତକୁ ସୁରକ୍ଷିତ ଯୋଗାଯୋଗ ଉପକରଣ ଏବଂ ପଦ୍ଧତି ବ୍ୟବହାର କରିବାର ସୁଯୋଗ ଦେଇଥିଲା, ଯାହାଦ୍ୱାରା ଭାରତ ଏବଂ ଆମେରିକାର ସାମରିକ କମାଣ୍ଡର ଏବଂ ଦୁଇ ଦେଶର ବିମାନ ଓ ଯୁଦ୍ଧଜାହାଜଗୁଡ଼ିକ ସୁରକ୍ଷିତ ନେଟ୍‌ୱର୍କ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରିପାରିବେ। ଚାଇନାର ରାଷ୍ଟ୍ରପତି ଶି’ଙ୍କୁ ସାକ୍ଷାତ କରିିବା ପାଇଁ ମୋଦି ଉହାନ ଗସ୍ତ କରିବାର ୫ ମାସ ପରେ ସେପ୍ଟେମ୍ବର ୨୦୧୮ରେ ସିଓଏମ୍‌ସିଏଏସ୍‌ଏ ସ୍ବାକ୍ଷରିତ ହୋଇଥିଲା। ବିଇସିଏ, ଏଲ୍‌ଇଏମ୍‌ଓଏ ଏବଂ ସିଓଏମ୍‌ସିଏଏସ୍‌ଏ ମିଶି ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ପାଇଁ ତିନୋଟି ‘ମୌଳିକ ଚୁକ୍ତି’ ହୋଇଥିଲା। ଉହାନରେ ମୋଦି ୨୮ ଏପ୍ରିଲ ୨୦୧୮ରେ ଆଉ ଏକ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଚୁକ୍ତି ଅନୁଯାୟୀ ଭାରତ ଏବଂ ଚାଇନା ଶତ୍ରୁତା ଆଚରଣ ନ କରି ପରସ୍ପରକୁ ସହଯୋଗ କରିବେ, ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶକୁ ଆଗକୁ ବଢ଼ାଇବେ। ସମସ୍ୟା ଥିଲା, ମୋଦି ଏହାକୁ ସମ୍ପୂର୍ଣ୍ଣ ରୂପେ ବୁଝିଥିଲେ କି ନାହିଁ। ସେ ଦୁଇ ପାର୍ଶ୍ୱ(ଚାଇନା ଓ ଆମେରିକା)ରେ ଏକାସଙ୍ଗେ ରହିବାକୁ ଚେଷ୍ଟା କରୁଥିଲେ। ଜିନ୍‌ପିଙ୍ଗଙ୍କ ସହ ହାତ ମିଳାଉଥିବା ସମୟରେ ମୋଦି ଚାଇନା ବିରୋଧୀ ଟ୍ରମ୍ପଙ୍କ ଇଣ୍ଡୋ-ପାସିଫିକ ରଣନୀତିରେ ସାମିଲ ହୋଇଥିଲେ। ଏହାର ପ୍ରତିକ୍ରିୟା ସ୍ବରୂପ ଚାଇନା ଲଦାଖ ସୀମାରେ ଚାପ ବଢ଼ାଇଲା। ଗତ ଛଅବର୍ଷ ଧରି ସୀମାରେ ଉତ୍ତେଜନା ଲାଗି ରହିଛି ଏବଂ ଚାଇନା ସହ ଭାରତର ବାଣିଜ୍ୟ ସ୍ଥିତି ସୁଧୁରି ପାରୁନାହିଁ।
ଦ୍ୱିତୀୟ କାର୍ଯ୍ୟକାଳରେ ଟ୍ରମ୍ପ ନିଜର ଇଣ୍ଡୋ-ପାସିଫିକ ରଣନୀତି ପ୍ରତି ଆଗ୍ରହ କମାଇଦେଲେ। ଏହି ନାମକୁ ହଟାଇବାର ପ୍ରକାଶିତ ଖବର ହେଉଛି ଏହାର ପ୍ରତୀକ। ଶେଷରେ ପ୍ରଶ୍ନ ହେଉଛି ଏତେ ବ୍ୟୟବହୁଳ ଓ ଅନିଶ୍ଚିତ ରଣନୀତିରେ ସାମିଲ ହୋଇ ଭାରତ କ’ଣ ପାଇଲା? ୧୭ ଜୁନ୍‌ର ଦ୍ୱିତୀୟ ଖବରରୁ ଏହାର ଉତ୍ତର ମିଳିଗଲା, ଆମେ ଆମେରିକାର ରାଷ୍ଟ୍ରପତିଙ୍କଠାରୁ ପ୍ରଶଂସା ଓ ପିଠି ଥାପୁଡ଼ା ପାଇ ସନ୍ତୁଷ୍ଟ ହେଲୁ।

Dharitri – Odisha’s No.1 Odia Daily

Share