ବାଲିଆ,୨୪।୭: ଜଗତ୍ସିଂହପୁର ଜିଲାକୁ ପଶ୍ଚିମବଙ୍ଗରୁ ଆସିଥିବା ୪୫ ଶ୍ରମିକ ଫସି ଯାଇଛନ୍ତି। ଧାନରୋଇବା କାର୍ଯ୍ୟରେ ଲଗାଇବା ପାଇଁ ମଣ୍ଡାସାହିର ଜଣେ ବ୍ୟକ୍ତି ସେମାନଙ୍କୁ ଆଣିଥିଲେ। ବସ୍ଯୋଗେ ଆସି ବିରିଡି ଥାନା ବାଲିଆ ଷ୍ଟୋରଠାରେ ଓହ୍ଲାଇ ୨୨ ମୌଜାଦେଇ ମଣ୍ଡାସାହି ଯିବାକୁ ସେମାନଙ୍କୁ କୁହାଯାଇଥିଲା। ମାତ୍ର ସେମାନଙ୍କୁ ଡକାଇଥିବା ବ୍ୟକ୍ତି ଜଣକ ଧରଛୁଅଁା ଦେଇ ନ ଥିଲେ। ଫଳରେ ସେମାନେ ବାଟ ନ ପାଇ ଏଣେ ତେଣେ ଯିବା ବେଳେ ଲୋକେ ଗାଁ ଭିତରକୁ ପସିବାକୁ ଦେଇ ନ ଥିଲେ। ନିରୁପାୟ ହୋଇ ଗୁରୁବାର ସନ୍ଧ୍ୟାରେ ବିରିଡି ଥାନା ନିକଟରେ ଥିବା ଧ୍ୟାନଚନ୍ଦ୍ର କଲେଜ ରାସ୍ତାରେ ଅଟକିଥିଲେ। ସେମାନଙ୍କୁ ଡକାଇଥିବ ଯୁବକଙ୍କ ଫୋନ ଲାଗୁ ନ ଥିବାରୁ ସମସ୍ୟା ବଢିଯାଇଛି। ଦୁଇଦିନ ହେବ ଉପାସରେ ଥିବା ଶ୍ରମିକମାନେ କହିଛନ୍ତି। ଜିଲା ଶ୍ରମ ଅଧିକାରୀ ପହଞ୍ଚତ୍ଥିଲେ ବି ଫେରିବା ବ୍ୟବସ୍ଥା ନ କରି ଚାଲିଯାଇଥିଲେ। ଥାନାଧିକାରୀ ପାରାଓ ଟୁଡୁ ସେମାନଙ୍କ ପାଇଁ ଭୋଜନର ବ୍ୟବସ୍ଥା କରିଥିବାବେଳେ ସ୍ଥାନୀୟ ସରପଞ୍ଚ ବିମଳ ସେଠୀ ବିସ୍କୁଟ ଦେଇଥିଲେ। ଶୁକ୍ରବାର ସକାଳେ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନ ସହ ଆଲୋଚନା କରି ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଥାନାଧିକାରୀ ଟୁଡୁ ଓ ସରପଞ୍ଚ ସେଠୀ ସୂଚନା ଦେଇଛନ୍ତି।


