କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ ଆସିଛି । ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଯେ, ନମାଜ ପଢ଼ିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉପରକୁ(ସ୍ବର୍ଗ) ଯିବାକୁ ଟିକେଟ ଯଥାଶୀଘ୍ର ନିଶ୍ଚିତ କରିବାକୁ ପ୍ରାର୍ଥନା କରିବି ବୋଲି କହିଛନ୍ତି ।
ହୁମାୟୁନ କବୀର ତାଙ୍କ ମନ୍ତବ୍ୟରେ ଅଜିତ ପୱାର, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଓ ମାଧବରାଓ ସିନ୍ଧିଆଙ୍କ ମୃତ୍ୟୁର ଉଦାହରଣ ଦେଇଥିଲେ । ଶୁଭେନ୍ଦୁ ଅଧିକାରୀଙ୍କ ‘ଅହଂକାର ମଧ୍ୟ ଭାଙ୍ଗିବ’ ଏବଂ ସମସ୍ତଙ୍କୁ ଦିନେ ନା ଦିନେ ଏହି ଦୁନିଆ ଛାଡ଼ିବାକୁ ପଡ଼ିବ ବୋଲି ସେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ହୁମାୟୁନ କବୀରଙ୍କ ଏହି ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଶାରଦ୍ୱତ ମୁଖୋପାଧ୍ୟାୟ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି । ତାଙ୍କ କହିବା ଅନୁସାରେ, ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ କାହାର ମୃତ୍ୟୁ କାମନା କରିବା ଉଚିତ ନୁହେଁ।
ଅନ୍ୟପକ୍ଷରେ, ରାଜ୍ୟର ଆଉ ଜଣେ ମନ୍ତ୍ରୀ ଶଙ୍କର ଘୋଷ ହୁମାୟୁନ କବୀରଙ୍କ ଏହି ବୟାନକୁ ଅଧିକ ଗୁରୁତ୍ୱ ନଦେବାକୁ କହିଛନ୍ତି। ହୁମାୟୁନ କବୀର ଓ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ରାଜନୈତିକ ବୟାନବାଜି ଦେଖିବାକୁ ମିଳିଛି । ଚଳିତ ବର୍ଷ ଜୁନ୍ରେ ହୁମାୟୁନଙ୍କ ପୂର୍ବ ବିବାଦୀୟ ମନ୍ତବ୍ୟକୁ ନେଇ ବିଧାନସଭାରେ ଶୁଭେନ୍ଦୁ ଅଧିକାରୀ କଡ଼ା ପ୍ରତିକ୍ରିୟା ଦେଇଥିବା ରିପୋର୍ଟ ମଧ୍ୟ ପ୍ରକାଶ ପାଇଥିଲା।