ଶିଆଳି ପତ୍ର ତୋଳିବାକୁ ଯାଇଥିଲେ, ଝାମ୍ପିଲା ଭାଲୁ

ବାଲିଗୁଡ଼ା,୨୨।୮:(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଭାଲୁ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଓ ଝିଅ ଆହତ ହୋଇଛନ୍ତି । ସକାଳୁ ବାଞ୍ଛା ମଲିକ, ସ୍ତ୍ରୀ ବୁଡାଳି ମଲିକ ଓ ଝିଅ ମିଶି ନିକଟସ୍ଥ ଜଙ୍ଗଲକୁ ଶିଆଳି ପତ୍ର ତୋଳିବା ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ଅତର୍କିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସ୍ତ୍ରୀ ବୁଡାଳିଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ବାପ ଓ ଝିଅଙ୍କୁ ଚିକିତ୍ସା ପାଇଁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଖବରପାଇ ତୁମୁଡିବନ୍ଧ ରେଞ୍ଜର ଲଳିତ ନାୟକ, ବାଟାଗୁଡା ସରପଞ୍ଚ ପ୍ରତାପ ମଲିକ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।