ଡକାୟତି ଯୋଜନା ପଣ୍ଡ: ମାରଣାସ୍ତ୍ର ଜବତ, ୭ ଗିରଫ

ହିଞ୍ଜିଳିକାଟୁ,୨୨ା୧୦(ଡି.ଏନ୍‌.ଏ.): କିଛିଦିନ ହେବ ହିଞ୍ଜିଳି ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ଏକ ଡକାୟତି ଗ୍ୟାଙ୍ଗକୁ ସ୍ଥାନୀୟ ପୋଲିସ କାବୁ କରିବା ସହ ସେମାନଙ୍କଠାରୁ ୨ଟି ପିସ୍ତଲ, ୪ ବୋମା, ୨ ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ହିଞ୍ଜିଳିକାଟୁ କେନାଲ ସାହିର ଚିଣ୍ଟୁ ଦାସ, ହିଞ୍ଜିଳି ସାନସାହିର ଲିପୁ ଦାସ, ହିଞ୍ଜିଳି ଠାକୁରାଣୀ ସାହିର ଶୁଭମ ଦାସ, ହିଞ୍ଜିଳି ଥାନା ରାମଚନ୍ଦ୍ରପୁରର କାଳିଆ ସେଠୀ, ଶାସନଆମ୍ବଗାଁର ବାଲାଜୀ ଗଉଡ଼, ନୂଆଗଡ଼ର ଗୟା ଦାସ ଓ ଶିକିରି ନୂଆସାହିର ହୀନ ସାମଲ।

ଅଭିଯୁକ୍ତମାନେ ହିଞ୍ଜିଳିକାଟୁ-ବ୍ରହ୍ମପୁର ୫୯ ନଂ. ଜାତୀୟ ରାଜପଥର ଚୈତନ୍ୟପଡ଼ା ରେଷ୍ଟ ଶେଡ୍‌ରେ ଶୁକ୍ରବାର ରାତିରେ ଏକାଠି ହୋଇ ମାରଣାସ୍ତ୍ର ଦ୍ୱାରା ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଲୁଟ୍‌ ଓ ନିକଟବର୍ତ୍ତୀ ଅଞ୍ଚଳରୁ ଡକାୟତି ନିମନ୍ତେ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସର ପାଟ୍ରୋଲିଂ ଟିମ୍‌ ଡକାୟତ ଗ୍ୟାଙ୍ଗ ଉପରେ ଅତର୍କିତ ଚଢ଼ାଉ କରି ଅଭଯୁକ୍ତମାନଙ୍କୁ କାବୁ କରିବା ସହ ସେମାନଙ୍କଠାରୁ ମାରଣାସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଅଭିମନ୍ୟୁ ଦାଶଙ୍କ ସୂତ୍ରରୁ ପ୍ରକାଶ।