ଦିଗପହଣ୍ଡି,୨୪ା୧୧(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ଗୁରୁବାର ଠାରୁପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ଅଧୀନ ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳସେଚନ ଉପବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଯେକୌଣସି ମୁହୂର୍ତ୍ତରେ ଘୋଡ଼ାହାଡ଼ ଡ୍ୟାମ୍ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ପାଣି ଛଡ଼ାଯିବ ବୋଲି ନଦୀ ତଟବର୍ତ୍ତୀ ଗୋଲଣ୍ଡା, ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି,ଗୁମା, ପନାଡ, ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା , ଆମ୍ବ ଗାଁ, ତିଳେଶ୍ୱର,ମହାନଳା, ପଳାଶପୁର, ନୂଆଗଡ଼, ଖୁଲଡି, ଜଲମରା, ଭୁଇପଲ୍ଲୀ, ପାଟପୁର, ଗ୍ରାମବାସୀଙ୍କୁ ସୋମବାର ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯାଇଛି। ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ସୋମବାର ସକାଳ ସୁଦ୍ଧା ଜଳଭଣ୍ଡାରରେ ୯୯ ଭାଗ ଅର୍ଥାତ୍ ୧୧୭.୬୬ ମିଟର ପାଣି ଗଚ୍ଛିତ ରହିଥିବା ଜଳସମ୍ପଦ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ଜଣାଇଛନ୍ତି। ଡ୍ୟାମ୍ରୁ ନଦୀଗର୍ଭକୁ ପାଣି ଛଡ଼ାଯିବ ବୋଲି ଜଳସମ୍ପଦ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ନିକଟସ୍ଥ ଥାନା ଓ ଦମକଳ କେନ୍ଦ୍ରଗୁଡ଼ିକୁ ସୂଚନା ଦିଆଯାଇଥିବା ଜଣାପଡ଼ିଛି।


