ଷ୍ଟାଣ୍ଡପୋଷ୍ଟରେ ଜଳ ଯୋଗାଣ ବନ୍ଦ

ବ୍ରହ୍ମପୁର ଅଫିସ,୧।୩:  ବ୍ରହ୍ମପୁର ସହରରେ ଜଳ ସଙ୍କଟର ସ୍ଥାୟୀ ସମାଧାନ ଓ ୨୪ ଘଣ୍ଟିଆ ବିଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାନିବିଲି ବୃହତ୍‌ ପ୍ରକଳ୍ପ ନିମନ୍ତେ ନୂତନ ପଦକ୍ଷେପ ନିଆଯାଇଛି। କିନ୍ତୁ ଉକ୍ତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ହୋଇ ନ ଥିବା ବେଳେ ସହରରେ ପୂର୍ବରୁ ଷ୍ଟାଣ୍ଡ ପୋଷ୍ଟରେ ଜଳ ଯୋଗାଣକୁ ଧୀରେ ଧୀରେ ବନ୍ଦ କରି ଦିଆଗଲାଣି । ଫଳରେ ବ୍ୟବସାୟ କରୁଥିବା ଲୋକେ, ବାଟୋଇ ଏବଂ ଅନ୍ୟମାନେ ପ୍ରଚଣ୍ଡ ଖରାରେ ଡହଳ ବିକଳ ହେଉଛନ୍ତି । ଆସନ୍ତା ଜୁନ ସୁଦ୍ଧା ସହରବାସୀ ୨୪ ଘଣ୍ଟିଆ ପିଇବା ପାଣି ପାଇପାରିବେ ବୋଲି ସୂଚନା ମିଳିଛି। ତେବେ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଣ ଆଳରେ ସହରର ମୁଖ୍ୟ ଛକ ସମେତ ସାହିରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ଜଳ ଯୋଗାଣ ବିଚ୍ଛିନ୍ନ କରାଯାଇଛି। ଆଗାମୀ ଦିନରେ ସହରରେ ଥିବା ସମସ୍ତ ଷ୍ଟାଣ୍ଡ ପୋଷ୍ଟ ପାଇପ୍‌ ଲାଇନ ବିଚ୍ଛିନ୍ନ କରାଯିବ ବୋଲି ଜଣାପଡିଛି। ଯାହାକୁ ନେଇ ବହୁ ବ୍ୟବସାୟୀ ଓ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି।
ସହରର ମୁଖ୍ୟ ଛକ ସମେତ ସାହିଗୁଡିକୁ ମିଶାଇ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଷ୍ଟାଣ୍ଡ ପୋଷ୍ଟ ରହିଛି। ବିଶେଷ କରି ବସ୍‌ ରହଣି ସ୍ଥଳରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ବହୁ ଦୂର ଦୂରାନ୍ତରୁ ଆସୁଥିବା ଲୋକେ ଓ ପଥଚାରୀମାନେ ପିଇବା ପାଣି ପାଇପାରୁଥିଲେ। ଅନ୍ୟପଟେ ସାହିଗୁଡିକରେ ଥିବା ଷ୍ଟାଣ୍ଡ ପୋଷ୍ଟରୁ ମଧ୍ୟ ବିଶୁଦ୍ଧ ପାଣି ପାଇବାରୁ ସାହି ବାସିନ୍ଦା ଉପକୃତ ହେଉଥିଲେ। ସହରର ମୁଖ୍ୟ ଛକରେ ଷ୍ଟାଣ୍ଡପୋଷ୍ଟ ଥିବାରୁ ବହୁ ବ୍ୟବସାୟୀ ନିତ୍ୟ ବ୍ୟବହାର ସହିତ ପିଇବା ନିମନ୍ତେ ମଧ୍ୟ ପାଣି ବ୍ୟବହାର କରୁଥିଲେ। କିନ୍ତୁ ଏବେଠାରୁ ନେହେରୁ ନଗର, ଇଞ୍ଜିନିୟରିଂ ସ୍କୁଲ ଛକ ଓ ଶିଳ୍ପାଞ୍ଚଳରେ ଥିବା ଷ୍ଟାଣ୍ଡ ପୋଷ୍ଟଗୁଡିକରୁ ପାଣି ବିଚ୍ଛିନ୍ନ ହୋଇଛି। ଫଳରେ ସ୍ଥାନୀୟ ବ୍ୟବସାୟୀ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଅନ୍ୟପଟେ ବହୁ ସାହିରେ ନୂତନ ପାଇପ୍‌ ଲାଇନ ପ୍ରତି ଘରକୁ ସଂଯୋଗ କରାଯାଇଛି, କିନ୍ତୁ ପାଣି ଆସୁ ନାହିଁ। ସାହିଗୁଡିକରେ ମଧ୍ୟ ଷ୍ଟାଣ୍ଡ ପୋଷ୍ଟ ଅଚଳ ଯୋଗୁ ଗରିବ ଲୋକେ ପିଇବା ପାଣିରୁ ବଞ୍ଚିିତ ହେଉଛନ୍ତି। ୨୪ ଘଣ୍ଟିଆ ଜଳ ଯୋଗାଣ ହେବା ଯାଏ ଷ୍ଟାଣ୍ଡ ପୋଷ୍ଟଗୁଡିକରେ ପିଇବା ପାଣି ସୁବିଧା ଯୋଗାଇ ଦେବା ପାଇଁ ଦାବି ହୋଇଛି।
ଏ ନେଇ ୱାଟ୍‌କୋ ମହାପ୍ରବନ୍ଧକ ଇଂ. ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ଜନଗହଳି ଓ କେତେକ ଜରୁରିକାଳୀନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ରଖାଯିବା ସହ ଏଥିରେ ମିଟର ସଂଯୋଗ କରାଯିବ। ଯେତିକି ପାଣି ବ୍ୟବହାର ହେବ ମିଟର ୟୁନିଟ ପିଛା ଟଙ୍କା ବିଇଏମ୍‌ସି ପୈଠ କରିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ୟବସାୟିକ ଓ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡିକରେ ଷ୍ଟାଣ୍ଡ ପୋଷ୍ଟଗୁଡିକ ପୂର୍ବଭଳି ରଖାଯିବା ପାଇଁ ସାଧାରଣରେ ଦାବି ହୋଇଛି।