ବିପଦ ସଙ୍କେତ ଟପିଲା ବୈତରଣୀ: ଲୋକେ ଆତଙ୍କିତ

ଆନନ୍ଦପୁର,୨୦ା୮(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ୨୦ ତାରିଖ ଭୀଷଣ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖାଯାଇ ପ୍ରଶାସନିକ ସ୍ତରରେ ଆଗୁଆ ପଦକ୍ଷେପ ଗ୍ରହଣ କରାଯିବା ସହିତ ଜରୁରିକାଳୀନ ବୈଠକ ଆଧାରରେ ଆନନ୍ଦପୁରଠାରେ ପ୍ରଶାସନିକ ତପତ୍ରତା ମଧ୍ୟ ପ୍ରକାଶ ପାଇଥିଲା। ତେବେ ୧୯ ତାରିଖରେ ଆନନ୍ଦପୁର ଅଞ୍ଚଳରେ ବର୍ଷାର ପ୍ରଭାବ କେତେକାଂଶରେ ପରିଲକ୍ଷିତ ହୋଇଥିଲା। ମାତ୍ର ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ଆନନ୍ଦପୁର ଅଞ୍ଚଳରେ ବର୍ଷାର ପ୍ରଭାବ ଆଦୌ ପରିଲକ୍ଷିତ ହୋଇ ନ ଥିଲା। ଆନନ୍ଦପୁରର ଉପରମୁଣ୍ଡ କେନ୍ଦୁଝର, ଚମ୍ପୁଆ, ମୟୂରଭଞ୍ଜ ଜିଲାର ଠାକୁରମୁଣ୍ଡା ଅଞ୍ଚଳରେ ବର୍ଷାର ପ୍ରଭାବ ଯୋଗୁ ଆନନ୍ଦପୁରଠାରେ ବୈତରଣୀ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। କେନ୍ଦୁଝର, ଚମ୍ପୁଆ ଓ ଠାକୁରମୁଣ୍ଡା ଅଞ୍ଚଳରେ ବର୍ଷା ପ୍ରଭାବରେ ଆନନ୍ଦପୁରଠାରେ ବୈତରଣୀର ଜଳସ୍ତର ଅପରାହ୍ନ ୪ଟା ସୁଦ୍ଧା ୩୬.୫୪ ମି. ରହିଥିଲା। ଏଠାରେ ସତର୍କ ସୂଚନା ୩୭.୪୪୯ ମି. ରହିଛି। ସନ୍ଧ୍ୟା ସୁଦ୍ଧା ଆନନ୍ଦପୁରଠାରେ ବୈତରଣୀ ସତର୍କ ସୂଚନା ଅତିକ୍ରମ କରି ବିପଦ ସଙ୍କେତ ଆଡ଼କୁ ଗତି କରୁଥିବା ପରିଲକ୍ଷିତ ହୋଇଛି। ୬ଟା ସୁଦ୍ଧା ବୈତରଣୀ ଜଳସ୍ତର ୩୭.୭୨ ମି. ବୃଦ୍ଧି ପାଇଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ବୈତରଣୀର ଜଳସ୍ତର ୩୮.୧୦ମି. ରହିଥିବାବେଳେ ଏଠାରେ ବିପଦ ସଙ୍କେତ ୩୮.୩୬ ମି. ରହିଛି।