ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ ଜଳ ଏକ ଶ୍ରେଷ୍ଠ ପ୍ରାକୃତିକ ଉପାଦାନ। ନିକଟ ଭବିଷ୍ୟତରେ ଏହି ଦୁର୍ଲଭ ଉପାଦାନଟି ଏକ ବୃହତ୍ ସଙ୍କଟରୂପେ ଉଭା ହେବାକୁ ଯାଉଛି। ପୃଥିବୀର ୭୨ ଭାଗ ଅଞ୍ଚଳ ଜଳପୂର୍ଣ୍ଣ ଥିଲେ ମଧ୍ୟ ପ୍ରାଣୀ ଆବଶ୍ୟକ କରୁଥିବା ଜଳର ପରିମାଣ ମାତ୍ର ଶତକଡା ୩ ଭାଗ। ସେଥିରୁ ୨ ପ୍ରତିଶତ ଜଳ ହିମତୁଷାର ଆକାରରେ ଥିବାବେଳେ ମାତ୍ର ଶତକଡା ୧ ଭାଗ ଜଳ ମନୁଷ୍ୟର ବ୍ୟବହାରରେ ଲାଗୁଛି। ଏହି ଏକଭାଗ ଜଳ ନଦୀ, ଝରଣା, ପୁଷ୍କରିଣୀ ଓ ଭୂତଳରେ ଗଚ୍ଛିତ ଅଛି। ଭୂତଳ ଜଳରାଶିର ବ୍ୟାପକ ଅବକ୍ଷୟ ଘଟିଚାଲିଛି। ଭୂତଳ ଜଳସ୍ତରରେ ୧୮ ଭାଗ ଜଳ ଭୂତଳଗାମୀ ହୋଇ ନ ପାରି ସମୁଦ୍ରକୁ ବହିଯାଉଛି। ଗତ ଶତାବ୍ଦୀର ୮୦ ଦଶକ ସୁଦ୍ଧା ନଦୀମାନଙ୍କରେ ପ୍ରବାହିତ ଜଳଧାରାର ୭୦ ପ୍ରତିଶତରୁ ଅଧିକ ବର୍ତ୍ତମାନ ହ୍ରାସ ପାଇଛି। ବର୍ଷ ତମାମ ଯେତିକି ବୃଷ୍ଟି ହେବା କଥା, ବର୍ତ୍ତମାନ ପ୍ରାୟତଃ ସମାନ ପରିମାଣର ବୃଷ୍ଟିପାତ ହେଉଥିଲେ ମଧ୍ୟ ଅକାଳ ଓ ଅନାବଶ୍ୟକ ବୃଷ୍ଟି ଉପକାର ପରିବର୍ତ୍ତେ ଅଧିକ ଅପକାର କରୁଛି।
ଯେତେ ପରିମାଣର ମଧୁର ଜଳ ଉପଲବ୍ଧ ହେଉଛି, ତାହା ପୂର୍ଣ୍ଣମାତ୍ରାରେ ମଣିଷର ବ୍ୟବହାରରେ ଆସୁନାହିଁ। ପାନୀୟ ଜଳକ୍ରମେ ବିଷାକ୍ତ ହେବାରେ ଲାଗିଛି। ନିକଟରେ ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରଦୂଷିତ ଜଳପାନ କରି ୧୬ଜଣଙ୍କ ମୃତ୍ୟୁ ଘଟଣା ଆଧୁନିକ ମଣିଷ ପାଇଁ ଏକ ଚେତାବନୀ। ଆମ ରାଜ୍ୟର ଆଠଗଡ଼ ସମେତ ବହୁ ଅଞ୍ଚଳରେ ଭୂତଳ ଜଳରେ ମାତ୍ରାଧିକ ଫ୍ଲୋରାଇଡ୍ ଥିବାର ପ୍ରମାଣ ମିଳିଛି। ଏହି ଜଳପାନ କରିବା ଫଳରେ ଲିଭର କିଡ୍ନୀ ଜନିତ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଗଙ୍ଗା ଓ ଯମୁନାର ଜଳ ବିଷାକ୍ତ ହେବାରେ ଲାଗିଛି। ମଣିଷ ଯେଉଁ ଟ୍ୟାପ ଜଳ ବ୍ୟବହାର କରୁଛି, ତାହା ଆଦୌ ବିଶୋଧିତ ନୁହେଁ। ଘରେ ସଂଯୁକ୍ତ ନଳ ଓ ଟ୍ୟାପ୍କୁ ନିୟମିତ ବ୍ୟବଧାନରେ ସଫା କରିବା କଥା। କିନ୍ତୁ ତାହା ପ୍ରାୟତଃ ହେଉନାହିଁ। ମଣିଷ ବଜାରରେ ଉପଲବ୍ଧ ପ୍ଲାଷ୍ଟିକ ବୋତଲରେ ବିଭିନ୍ନ ବ୍ରାଣ୍ଡର ଜଳକୁ କ୍ରୟ କରି ପାନ କରୁଛି। ଆମର ଏକ ଧାରଣା ଯେ, ବଜାରରେ ଉପଲବ୍ଧ ବୋତଲ ପାଣି ବିଶୁଦ୍ଧ, କିନ୍ତୁ ତାହା ଠିକ୍ ନୁହେଁ। ବୋତଲ ପିଛା ଦଶଟଙ୍କାଠାରୁ ଆରମ୍ଭ କରି ହଜାର ଟଙ୍କିଆ କାଚ ବୋତଲରେ ସ୍ପାର୍କଲିଙ୍ଗ ୱାଟର ବଜାରରେ ଉପଲବ୍ଧ ହେଲାଣି।
ପାନୀୟ ଜଳକୁ ଦିନେ ପ୍ରକୃତିର ମାଗଣା ଉପହାର ମନେକରାଯାଉଥିଲା। କିନ୍ତୁ ସମ୍ପ୍ରତି ତାହା ଏକ ବିଶାଳ ବ୍ୟବସାୟିକ କ୍ଷେତ୍ରରେ ପରିଣତ ହୋଇ ସାରିଲାଣି। ଇତିହାସ କହେ ମୋଗଲ ସମ୍ରାଟ୍ ଆକବର ଉଚ୍ଚ ପାର୍ବତ୍ୟାଞ୍ଚଳରେ ପ୍ରବାହିତ ଗଙ୍ଗା ଜଳକୁ ପ୍ରତ୍ୟହ ସଂଗ୍ରହ କରାଇ ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକତା ମେଣ୍ଟାଉଥିଲେ। ଆଜି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସାଧାରଣ ଜଳ ପରିବର୍ତ୍ତେ ବିଦେଶୀ ଓ ପ୍ରାକୃତିକ ଭାବେ ପ୍ରବାହମାନ ଝରଣାର ଜଳକୁ ଧନୀ ତଥା ସମ୍ଭ୍ରାନ୍ତ ଶ୍ରେଣୀୟ ଲୋକମାନେ ହଜାର ହଜାର ଟଙ୍କା ବିନିମୟରେ କ୍ରୟ କରୁଛନ୍ତି। ଏହା କେବଳ ତୃଷା ମେଣ୍ଟାଇବା ପାଇଁ ଉଦ୍ଦିଷ୍ଟ ନୁହେଁ; ବରଂ ନିଜ ଆଭିଜାତ୍ୟପୂର୍ଣ୍ଣ ଜୀବନଶୈଳୀ ତଥା ସ୍ବାସ୍ଥ୍ୟ ପ୍ରତି ପ୍ରଗାଢ଼ ସଚେତନତା ବୋଲି ଅନ୍ୟକୁ ଦେଖାଇ ଦେବାର ଏକ କୃତ୍ରିମତାଭରା ପ୍ରୟାସ ମାତ୍ର। ଲୋକଙ୍କର ଆବଶ୍ୟକତାକୁ ଅନୁଭବ କରି ବହୁରାଷ୍ଟ୍ରୀୟ କମ୍ପାନୀମାନେ ବୈଜ୍ଞାନିକ ପଦ୍ଧତିରେ ସାଧାରଣ ଜଳକୁ ବିଶୁଦ୍ଧ କରି ପ୍ରାକୃତିକ ଜଳ ନାମରେ ବ୍ୟବସାୟ କରି ବେଶ୍ ଲାଭବାନ ହେଉଛନ୍ତି। ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦିଆଯାଇପାରେ ଯେ, ବୋତଲ ମାଧ୍ୟମରେ ବଜାରରେ ଉପଲବ୍ଧ ବିଭିନ୍ନ ବ୍ରାଣ୍ଡ୍ର ଜଳ ମଧ୍ୟରୁ ୧୮ଟି ବ୍ରାଣ୍ଡ୍ର ଜଳ ଅସୁରକ୍ଷିତ ଏବଂ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଦ୍ୱିତୀୟ କଥା ପ୍ଲାଷ୍ଟିକ ବୋତଲରେ ଜଳଧାରଣ ଏବଂ ତାହା ପୁଣି ଦିନଦିନ ଧରି ଆବଦ୍ଧ ରହିବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ସାଧାରଣ ଲୋକଙ୍କ ପାଖରେ ଜଳର ନମୁନା ପରୀକ୍ଷା କରିବାର କୌଣସି ସାଧନ ଉପଲବ୍ଧ ନ ଥିବାରୁ ସେ ଏହାକୁ କିଣିନେଇ ଆଗ୍ରହରେ ପାନ କରୁଛି। ନିକଟରେ ଓଡ଼ିଶା ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଚଳିତବର୍ଷ ୨୯ଟି ଜଳ ନମୁନା ପରୀକ୍ଷା କରାଯାଇଥିଲା, ଯେଉଁଥିରୁ ୮ଟି ନମୁନା ଅସୁରକ୍ଷିତ ବୋଲି ଜଣାପଡ଼ିଥିଲା। ଏକଥା ମଧ୍ୟ ପ୍ରକାଶ କରିଛନ୍ତି ଯେ, ବିଗତ ଚାରିବର୍ଷରେ ୬୮ଟି ପାନୀୟଜଳର ନମୁନା ପରୀକ୍ଷା କରାଯାଇ ତନ୍ମଧ୍ୟରୁ ୧୮ଟି ନମୁନା ପାନୀୟଯୋଗ୍ୟ ନୁହେଁ ବୋଲି ଜଣାପଡ଼ିଛି।
ଅପରପକ୍ଷେ ବିଶ୍ୱକଥା ଚିନ୍ତାକଲେ ଜଣାଯାଏ ଯେ, ବିଶ୍ୱର ଜଳ ସ୍ଥିତି ଉଦ୍ବେଗଜନକ। ବିଶ୍ୱ ବର୍ତ୍ତମାନ ଜଳ ସଂକଟର ଦ୍ୱାରଦେଶରେ ଉପନୀତ। ଜାତିସଂଘ ଜଳ ସମ୍ମିଳନୀରେ ଜଳ ସଂକଟ ଉପରେ ଉଦ୍ବେଗ ପ୍ରକାଶ କରାଯାଇଥିଲା। କୁହାଯାଇଥିଲା ଯେ, ପ୍ରକୃତିର ସହନୀୟତାଠାରୁ ଅଧିକ ଜଳ ବ୍ୟବହାର ଯୋଗୁ ବିଶ୍ୱରେ ଜଳାଭାବର ଭୟଙ୍କର ସ୍ଥିତି ଉପୁଜିଛି। ପୃଥିବୀର ପ୍ରାୟ ଅର୍ଦ୍ଧେକ ଲୋକ ବର୍ଷକରେ ଅନୂ୍ୟନ ଏକମାସ ଜଳସଙ୍କଟର ସମ୍ମୁଖୀନ ହେଉଛନ୍ତି। ନଦୀ ଅବବାହିକାମାନଙ୍କରେ ବ୍ୟାପକ ବୃକ୍ଷଛେଦନ ଯୋଗୁ ବୃଷ୍ଟିଜଳ ଭୂଗର୍ଭକୁ ନ ଯାଇପାରି ନଦୀ ଓ ଝରଣା ମାଧ୍ୟମରେ ତତ୍କ୍ଷଣାତ୍ ନିମ୍ନକୁ ଗଡ଼ିଯାଉଛି। ନଦୀର ଉପରମୁଣ୍ଡରେ ବ୍ୟାପକ ବୃକ୍ଷ ସମ୍ଭାର ଥିଲେ ବୃଷ୍ଟିଜଳ ତତ୍କ୍ଷଣାତ୍ ନିମ୍ନକୁ ନିର୍ଗତ ନ ହୋଇ ଧୀରେଧୀରେ ଭୂତଳଗାମୀ ହୁଅନ୍ତା। ଫଳରେ ଝରଣା ଓ ନଦୀଗୁଡ଼ିକରେ ବର୍ଷତମାମ ଜଳଧାରା ପ୍ରବାହିତ ହୋଇ କୃଷିକର୍ମଣଠାରୁ ଆରମ୍ଭ କରି ମନୁଷ୍ୟର ନାନାବିଧ ଆବଶ୍ୟକତା ପୂରଣ ହୋଇ ପାରନ୍ତା। ବର୍ଷାଦିନେ ନଦୀ ଝରଣା ଜଳ ପ୍ଳାବିତ ହେଉଥିବା ବେଳେ ବର୍ଷର ଅନ୍ୟ ସମୟରେ ଶୁଷ୍କ ହୋଇ ପଡ଼ିରହୁଛି। ଏ ସବୁ କେବଳ ମଣିଷର ଦୂରଦୃଷ୍ଟିହୀନତାର ପରିଚୟ। ମନେ ଅଛି ଗ୍ରେଟା ଅନ୍ବର୍ଗ ଜଣେ ସ୍ବଳ୍ପବୟସ୍କା ସ୍କୁଲଛାତ୍ରୀ ହୋଇ ମଧ୍ୟ କିପରି ଜାତିସଂଘ ଅଧିବେଶନରେ ବିଶ୍ୱର ତୁଙ୍ଗ ନେତୃମଣ୍ଡଳୀକୁ ପ୍ରଶ୍ନ କରିଥିଲେ- ତୁମେ ଆମ ଭବିଷ୍ୟତ ସହ କ’ଣ କରୁଛ? ଜାତିସଂଘର ଜଳବାୟୁ ସଂକ୍ରାନ୍ତୀୟ ବୈଠକରେ ଅତି ଦୃଢ଼ତାର ସହ ପଚାରିଥିଲେ- ତୁମେ ଆମ ଭବିଷ୍ୟତ ସହ ଖେଳିବାକୁ କିପରି ସାହସ କରୁଛ? । ଅନ୍ବର୍ଗଙ୍କ ପ୍ରଶ୍ନରେ ଯେଉଁ ଯାଦୁକରୀ ଶକ୍ତିଥିଲା ତା’ର ମର୍ମାଂଶ ହେଲା ତୁମେମାନେ ପୃଥିବୀର କ୍ଷତିକୁ ରୋକିବାକୁ ଏବେଠୁଁ ଉଦ୍ୟମ ଜାରିରଖ। ନଚେତ୍ ଭବିଷ୍ୟତ ବଂଶଧର ତୁମକୁ କ୍ଷମା ଦେବେ ନାହିଁ।
ଜଳ ସମ୍ମିଳନୀର ଶେଷକଥା ଥିଲା ଯେ, ଜଳ ପରିଚାଳନାରେ ଓ ବ୍ୟବହାରରେ କିପରି ମିତବ୍ୟୟିତା ଅବଲମ୍ବନ କରାଯାଇ ପାରିବ, ସେ ବିଷୟରେ ଚିନ୍ତା କରିବାର ସମୟ ଉପଗତ। ଜଳ ଆଉ ପ୍ରକୃତିର ମୁକ୍ତ ଉପାଦାନ ହୋଇ ନାହିଁ ପାହାଡ଼, ପର୍ବତ, ଜଙ୍ଗଲମାନଙ୍କ ପରି ଜଳ ଉତ୍ସଗୁଡିକ ମନୁଷ୍ୟର ଦୌରାମତ୍ୟର ଶିକାର ହୋଇଛି। ମଣିଷ ଯେତେବେଳେ ନିଜର ଆବଶ୍ୟକତା ଅନୁଭବ କରିବ ଓ ଜଳ ବ୍ୟବହାର ଉପରେ ସଂଯମ ହେବ, ସେତେବେଳେ ଯାଇ ଜଳ ସଙ୍କଟରୁ ଉଦ୍ଧାର ପାଇବାର ମାର୍ଗ ଅନୁସନ୍ଧାନ କରିବ। ନିଜେ ନ ଭୋଗିଲେ କଷ୍ଟର ଗଭୀରତା ବୁଝିହୁଏ ନାହିଁ।
ସିଦ୍ଧଳ, ଜଗତ୍ସିଂହପୁର
ମୋ: ୯୯୩୭୪୫୦୫୪୦

