ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା ବେଳେ ବିଦ୍ୟାଳୟର କୋଠା ବିପଦପୂର୍ଣ୍ଣ ଭାବେ ରହିଛି। ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗ ହେଉଛି। ଏ ନେଇ ‘ଧରିତ୍ରୀ’ ପକ୍ଷରୁ ପ୍ରକାଶ ପାଉଥିବା ‘ବିଦ୍ୟାଳୟ ପରିକ୍ରମା’ ପାଇଁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଖବରଦାତାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା କାହାଳି ଦୁର୍ବ୍ୟବହାର କରିଥିଲେ। ଖବରଦାତାଙ୍କୁ ବିଦ୍ୟାଳୟ ହତାରୁ ବାହାରକରି ପିଲାଙ୍କୁ କହି ଗେଟ୍ରେ ତାଲା ପକାଇ ଦେଇଥିଲେ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି।
ଶାଳବଣି ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟ ଉପରେ ଆଖପାଖ ଅଞ୍ଚଳର ପିଲା ନିର୍ଭର କରନ୍ତି। ବିଦ୍ୟାଳୟରେ ଏବେ ୨୭ ପିଲା ପଢ଼ୁଥିବା ବେଳେ ୨ଟି ଶ୍ରେଣୀଗୃହ ରହିଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୨ ଶିକ୍ଷକ ରହିଛନ୍ତି। ସାଧାରଣ ବର୍ଷା ହେଲେ ଶ୍ରେଣୀକକ୍ଷ ଛାତରୁ ପାଣି ଗଳୁଛି। ଏଥିସହ ପାଚେରି ଫାଟି ଆଁ କରିଛି। ସ୍କୁଲ ନାମଫଳକଟି ମଧ୍ୟ ଅସ୍ପଷ୍ଟ ହୋଇଗଲାଣି। ବିଦ୍ୟାଳୟ ପରିସରରେ ଅନାବନା ଗଛ ମାଡ଼ିଯାଇଥିଲେ ହେଁ ସଫା ହେଉନାହିଁ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟିକରୁଛି। ଜଣେ ଅଭିଭାବକ ନାମ ଗୋପନ ରଖି କହିଛନ୍ତି, ପିଲାଙ୍କୁ ନିମ୍ନମାନର ଖାଦ୍ୟ ପରଷାଯାଉଛି। ଭାତକୁ ପାଣିଆ ଡାଲି ସହ ବୋଇତାଳୁ ଦିଆଯାଉଥିବାବେଳେ ଗୋଟିଏ କିଲୋ ଆଳୁ ଆସିଲେ ୧୦ ଦିନ ଯାଉଛି। ପୁଷ୍ଟିସାର ଆସିବ କୁଆଡୁ ବୋଲି କହିବା ସହ ତାଙ୍କ ସାଙ୍ଗରେ ଆଉ କେହି ସାଥ ଦେଉନାହାନ୍ତି, ତେଣୁ ଅଭିଯୋଗ କଲେ କେହି ଶୁଣୁ ନ ଥିବା ସେ କହିଛନ୍ତି। ଶୌଚାଳୟ ପରିଷ୍କାର ହେଉ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଶୁକ୍ରବାର ଆମ ଖବରଦାତା ବିଦ୍ୟାଳୟକୁ ଯାଇଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା କାହାଳି ଦୁର୍ବ୍ୟବହାର କରିଥିଲେ। ସାମ୍ବାଦିକଙ୍କୁ ବିଦ୍ୟାଳୟକୁ ଆସିବା ମନା କହି ବାହାରକୁ ଯିବାକୁ କହିଥିଲେ। ଏଥିସହ ୨ ଜଣ ଛାତ୍ରୀଙ୍କୁ ପଠାଇ ଗେଟ୍ରେ ତାଲା ପକାଇଦେଇଥିଲେ। ପରବର୍ତ୍ତୀ ସମୟରେ ଫୋନ ମାଧ୍ୟମରେ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରିବାର ଥିଲା ବୋଲି କହିବା ପରେ ପ୍ରଧାନଶିକ୍ଷୟିତ୍ରୀ କଥା ହୋଇଥିଲେ। ମାତ୍ର ବିଦ୍ୟାଳୟ ଭିତରକୁ ଯିବାକୁ ବାରଣ କରିଥିଲେ। ସେ ଫୋନ୍ରେ କହିଥିଲେ, ବିଦ୍ୟାଳୟରେ ୨ ଶ୍ରେଣୀ କକ୍ଷର ଅବସ୍ଥା ବହୁତ ଖରାପ, ବର୍ଷା ହେଲେ ଛାତରୁ ପାଣି ଗଳୁଛି, ୨ ବର୍ଷ ହେଲା ଗ୍ରୀଡିଂ ହୋଇଛି। ଜଣେ ଗ୍ରାମବାସୀ ପାଚେରି କଡ଼ରେ ଗୁହାଳ କରିଥିବାରୁ ମୂତ୍ର ଡ୍ରେନ୍ ବିଦ୍ୟାଳୟ କାନ୍ଥ ଦେଇ ଛାଡ଼ିଛନ୍ତି। କମିଟି ମେମ୍ବରଙ୍କ ସହ ଶିକ୍ଷକମାନେ କହିବା ପରେ ସେ ବନ୍ଦ କରୁନାହାନ୍ତି। ଫଳରେ ମଶାମାଛି ହେଉଛନ୍ତି, ଝରକା ଖୋଲିଲେ ଗନ୍ଧରେ ନାକ ଫାଟିଯାଉଛି। କାନ୍ଥ ମଧ୍ୟ ଦୁର୍ବଳ ହେଉଥିବା ସେ କହିଛନ୍ତି। କମ୍ପୋଜିଟ ଗ୍ରାଣ୍ଟରେ ଆସିଥିବା ବର୍ଷକୁ ୧୦, ୦୦୦ ଟଙ୍କାରେ ସାମ୍ନା ଗେଟ୍, ନଳକୂପ ମରାମତି, କ୍ଲାସ୍ ରୁମ୍ କଲର, ଫ୍ୟାନ୍ ମରାମତି କରିଛନ୍ତି। ଏଥିସହ ପାଣି ସମସ୍ୟା ନ ଥିବା ବେଳେ ଶୌଚାଳୟ ଠିକ୍ ଓ ପରିସ୍କାର ଥିବା କହିଛନ୍ତି। ପୂର୍ବରୁ ୪୦ରୁ ଊର୍ଦ୍ଧ୍ୱ ପିଲା ପଢ଼ୁଥିଲେ। ଏବେ କମି କମି ୨୭ରେ ପହଞ୍ଚତ୍ଲେଣି। ବିଶେଷକରି ଆଦିବାସୀ ଲୋକ ହୋଇଥିବାରୁ ସଚେତନକଲେ ମଧ୍ୟ କେହି ଆସୁନାହାନ୍ତି। ଏଥିସହ ରାସ୍ତା ସମସ୍ୟା କାରଣରୁ ଅଭିଭାବକ ମଧ୍ୟ ପିଲାଙ୍କୁ ଛାଡ଼ୁନାହାନ୍ତି। ଅନ୍ୟ ସ୍କୁଲକୁ ପଳାଉଛନ୍ତି। ଏ ସମସ୍ୟାକୁ ନେଇ ବହୁବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି ସମାଧାନ ହୋଇପାରିନାହିଁ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ବର୍ଷାଦିନେ ଶ୍ରେଣୀଗୃହର ଛାତରୁ ପାଣି ଗଳୁଛି। ପିଲାମାନେ ଅସୁରକ୍ଷିତ ପରିବେଶରେ ପାଠ ପଢୁଛନ୍ତି। ଏ ନେଇ ବାରମ୍ବାର ପ୍ରଶାସନ ଓ ଶିକ୍ଷା ବିଭାଗକୁ ଜଣାଇଲେ ମଧ୍ୟ କୌଣସି ଫଳ ମିଳୁନାହିଁ। ବିଦ୍ୟାଳୟ କମିଟି ସଭାପତି ସନ୍ତୋଷ କୁମାର ସାହୁ କହିଛନ୍ତି, ସେ ୧୫ ଦିନ ହେବ ଦାୟିତ୍ୱ ନେଇଛନ୍ତି, ସ୍କୁଲ ବିଷୟରେ କିଛି ଜାଣି ନ ଥିବାରୁ କିଛି କହିପାରିବେ ନାହିଁ। ବ୍ଲକ୍ ଶିକ୍ଷା ଅଧିକାରୀ ହରିହର ଦଳାଇ କହିଛନ୍ତି, କ’ଣ ହୋଇଛି ବୁଝିକି କହିବେ। ପରବର୍ତ୍ତୀ ସମୟରେ ବାରମ୍ବାର ଫୋନ୍ କଲା ପରେ ବି ପ୍ରତିକ୍ରିୟା ଦେଇ ନ ଥିଲେ।