ପ୍ରକଳ୍ପ ହସ୍ତାନ୍ତର ନ ହେଉଣୁ ଟାଙ୍କିରୁ ଗଳୁଛି ପାଣି

ଉମରକୋଟ,୧୯ା୮(ସ୍ବ.ପ୍ର.): ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ ଜଳ ଜୀବନ ମିଶନରେ ପାନୀୟ ଜଳ ପ୍ରକଳ୍ପ କରାଯାଉଛିି। ହେଲେ ତଳସ୍ତରରେ ଏଥିରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ହେଉଛି। ନିମ୍ନମାନର କାମ ଯୋଗୁ ନିର୍ମାଣର ମାତ୍ର ୩ ମାସ ନ ପୂରୁଣୁ ପାଣିଟାଙ୍କିରୁ ପାଣି ଗଳୁଛି। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ବଡ଼କୁମାରୀ ପଞ୍ଚାୟତର ୟୁଭି ୮ ଖୁଟୁଗୁଡ଼ା ଗ୍ରାମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି। ପାଣିଟାଙ୍କି ନିର୍ମାଣ ସରିଥିବାବେଳେ ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯିବା ପୂର୍ବରୁ ହିଁ ଷ୍ଟୋରେଜ ଟାଙ୍କିରୁ ପାଣି ଗଳୁଛି।
୨୦୦ରୁ ଊଦ୍ଧର୍‌ବ ପରିବାର ଥିବା ଗାଁଗୁଡ଼ିକ ଜଳ ଜୀବନ ମିଶନ ଅନ୍ତର୍ଭୁକ୍ତ ହୋଇପାରିବେ। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ(ଆର୍‌ଡବ୍ଲ୍ୟୁଏସ୍‌ଏସ୍‌)ପକ୍ଷରୁ ଏହି କାମ କରାଯାଉଛି। ତେବେ ପରିତାପର ବିଷୟ ହେଲା ଏଠାରେ କେଉଁ ବିଭାଗ କାମ କରୁଛି ଏବଂ ପ୍ରକଳ୍ପର ଅଟକଳ ମୂଲ୍ୟ କେତେ ତାହାର କୌଣସି ସୂଚନା ଫଳକ ଦେଖିବାକୁ ମିଳୁନି। ଫଳରେ ଗ୍ରାମବାସୀ ଏବଂ ଲୋକ ପ୍ରତିନିଧି ପ୍ରକଳ୍ପର ବ୍ୟୟ ଅଟକଳ ଜାଣିବା ସମ୍ଭବ ହେଉ ନ ଥିବା ଅଭିଯୋଗ ହୋଇଛି।
ଗ୍ରାମବାସୀଙ୍କ ଅଭିଯୋଗ ହେଲା, ୮ ମାସ ତଳେ ଏହି ନିର୍ମାଣ କାମ ଆରମ୍ଭ ହୋଇଥିଲ। ୩ ମାସ ତଳେ କାମ ଶେଷ ହେବା ସହ ରଙ୍ଗ ମରାଯାଇଥିଲା। ଜଳ ଯୋଗାଣ ଠିକ୍‌ରେ ହୋଇପାରୁଛି କି ନାହିଁ ପରୀକ୍ଷା କରାଯିବା ପରେ ପ୍ରକଳ୍ପ ପଞ୍ଚାୟତକୁ ହସ୍ତାନ୍ତର କରାଯିବାର ଥିଲା। ହେଲେ ଟ୍ରାଏଲ୍‌ ସମୟରେ ହିଁ ଟାଙ୍କିରୁ ପାଣି ଗଳୁଥିବା ଜଣାପଡ଼ିଛି। ପ୍ରକଳ୍ପ କାମ ଚାଲିଥିବାବେଳେ ବିଭାଗୀୟ ଯନ୍ତ୍ରୀ, ବିଡିଓ କିମ୍ବା ଅନ୍ୟ ଅଧିକାରୀ ଠିକ୍‌ରେ ତଦାରଖ କରି ନ ଥିବାରୁ ଏଭଳି ସମସ୍ୟା ହୋଇଥିବା ଗ୍ରାମର ପ୍ରଣବ ମଣ୍ଡଳ, ସନ୍ତୋଷ ସୂତ୍ରଧର, ସୁକେଶ ମଣ୍ଡଳ, ସଞ୍ଜୟ ମିସ୍ତ୍ରି, ଉଦୟନ ବିଶ୍ୱାସ, ଶଙ୍କର ଗରାମି ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ବିଭାଗ ପକ୍ଷରୁ ମୋଟର ଲଗାଇ ପାଣି ଯୋଗାଇଲେ ଲୋକ ପାଣି ପାଉଥିବା ବେଳେ ଷ୍ଟୋରେଜ ଟାଙ୍କିର ପାଣି କାହାକୁ ମିଳୁନାହିଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ପ୍ରାୟ କାମ ପାଇଁ ଠିକାଦାର ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ମୂଲ୍ୟରେ ଟେଣ୍ଡର ପାଇଥାନ୍ତି। ତଥାପି ଜନସାଧାରଣଙ୍କ ସ୍ବାର୍ଥକୁ ବେଖାତିର କରି କାମରେ ଅବହେଳା କାହିଁକି କରାଗଲା ବୋଲି ପ୍ରଶ୍ନ ଉଠିଛି। ଏଠାରେ ଅଧିକାରୀମାନଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ସତ୍ୟପ୍ରକାଶ ସିଆଲଙ୍କୁ ପଚାରିବାରୁ କହିଛନ୍ତି, କିଏ କହିଲା ପାଣି ଗଳୁଛି। ଆମେ ଟ୍ରାଏଲ୍‌ କରିବା ସମୟରେ ଠିକ୍‌ ଥିଲା। ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ । ଏଭଳି ପରିସ୍ଥିତିରେ ଘଟଣାରେ ଜିଲାପାଳ ହସ୍ତକ୍ଷେପ କରନ୍ତୁ ଏବଂ ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଖୁଟୁଗୁଡ଼ା ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଉମରକୋଟ ବ୍ଲକରେ ପ୍ରାୟ ୨୦ ଗ୍ରାମରେ ଏହି ମିଶନ ଅଧୀନରେ ହୋଇଥିବା ନିର୍ମାଣ କାମର ମଧ୍ୟ ଅନୁଧ୍ୟାନ କରିବା ନିମନ୍ତେ ମତପ୍ରକାଶ ପାଇଛି।