ଦାରିଙ୍ଗବାଡି, ୧।୧୦(ଅରୁଣ ସାହୁ): ଅନେକ ଗ୍ରାମରେ ଦେଖାଯାଏ ପିଇବା ପାଣି ପାଇଁ ସମସ୍ୟା। ବୁନ୍ଦାଏ ପାଣି ପାଇଁ ଲୋକ ନଈ, ପୋଖରୀ, ଚୁଆ ଆଦିରୁ ଦୂରଦୁରାନ୍ତକୁ ଯାଆନ୍ତି। ଅନେକ ସମୟରେ ପିଇବା ପାଣି ପାଇଁ ଲୋକ ଗରା ମାଠିଆ ଧରି ବିକ୍ଷୋଭ କରିବା ମଧ୍ୟ ନଜିର ରହିଛି। ଆଉ କିଛି ସ୍ଥାନରେ ଜଳ ପାଇଁ ଲମ୍ବା ଧାଡିରେ ମହିଳାମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିବା ନଜିର ରହିଛି। ହେଲେ ଏମିତି ବି ଦେଖିବାକୁ ମିଳିଛି। ପ୍ରକୃତିର ମହାନ ଅବଦାନ ଯେଉଁଠି ନଳକୂପ ରହିଛି। କିନ୍ତୁ ହ୍ୟାଣ୍ଡ ପମ୍ପର ଆବଶ୍ୟକତା ପଡୁନାହିଁ। ନଳକୂପରେ ଅନବରତ ଜଳସ୍ରୋତ ବୋହିଯାଇ ନଷ୍ଟ ହେଉଛି। ନା ଚାଷ କାର୍ଯ୍ୟରେ ତାକୁ ବ୍ୟବହାର କରାଯାଉଛି, ନା ଜଳ ସଞ୍ଚୟ କରାଯାଉଛି ଜଳ ନଷ୍ଟ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ସୋନପୁର ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ।
ପ୍ରକାଶ ଯେ, ଦୀର୍ଘ ଦିନ ତଳେ ବିଦ୍ୟାଳୟ ପରିସରରେ ଏକ ନଳକୂପ ଖୋଳାଯାଇଥିଲା। ହେଲେ ନଳକୂପରୁ ଏତେ ବଡ଼ ଧରଣର ଝର ଦେଇଥିଲା ଯେ, ଆପେ ଆପେ ଜଳ ଉତ୍ସ ବାହାରକୁ ଜଳ ବୋହିବା ଲାଗିଲା। ଫଳରେ ଆଉ ହ୍ୟାଣ୍ଡପମ୍ପର ଆବଶ୍ୟକତା ପଡୁନାହିଁ। ଯିଏ ଶୁଣୁଛି ସିଏ ଏହି ନଳକୂପ ଦେଖିବାକୁ ଦୌଡୁଛନ୍ତି। ପ୍ରକୃତରେ ପ୍ରକୃତିର ଅନେକ ରୂପ ମଧ୍ୟରେ ଏହା ଅନ୍ୟତମ। କେଉଁଠି ଟୋପାଏ ପାଣି ମିଳୁ ନ ଥିବା ବେଳେ କେଉଁଠି ନଳକୂପରେ ବହୁ ସମୟ ହ୍ୟାଣ୍ଡ ପମ୍ପ ମାରିବା ପରେ ପାଣି ବାହାରିଥାଏ। କିନ୍ତୁ ସୋନପୁରର ଏହି ନଳକୂପରେ କୌଣସି ହ୍ୟାଣ୍ଡାଲର ଆବଶ୍ୟକତା ପଡୁ ନ ଥିବା ଓ ଆପେ ଆପେ ପାଣି ଅନବରତ ବାହାରୁଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା କୁହାଯାଇଛି। ତେବେ ଏନେଇ ସୋନପୁର ବିଦ୍ୟାଳୟର ଶିକ୍ଷକ ଶରତ କୁମାର ଦାସ କହିଛନ୍ତି ଯେ, ଏହା କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ ଭୁତଳ ମଧ୍ୟରେ କୌଣସି ପଥର ତଳେ ଜଳସ୍ତର ରହିଥିବ ଏବଂ ଉକ୍ତ ପଥର ଫାଟି ଯାଇଥିବା,ଯାହାକି ପଥର ତଳେ ରହିଥିବା ଜଳସ୍ତରର ଚାପ ଅଧିକ ଯୋଗୁ ଉକ୍ତ ପଥର ଫାଟ ଦେଇ ଉପରକୁ ପାଣି ଆପେ ଆପେ ଆସୁଥିବା ସେ କହିଛନ୍ତି।


