ଜର୍ମାନୀର ନାଜି ଶାସକ ଆଡ୍ଲଫ୍ ହିଟ୍ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ ରହିଛି। ତେବେ ଏବେ ବିଶ୍ବରେ ଉଭାହୋଇଛନ୍ତି ଆଉ ଜଣେ ହିଟ୍ଲର। ସେ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ନିଜକୁ ସେ ଜଣେ ଏକଚ୍ଛତ୍ରବାଦୀ ବୋଲି କହିଛନ୍ତି। ଟ୍ରମ୍ପ୍ ଗତ ଜାନୁଆରୀରେ ସୁଇଜରଲାଣ୍ଡର ଡାଭୋସ୍ରେ ଆୟୋଜିତ ବିଶ୍ବ ଅର୍ଥନୈତିକ ଫୋରମ ବୈଠକରେ ବେଳେ ବେଳେ ଏକଚ୍ଛତ୍ରବାଦୀ ହେବା ଜରୁରୀ ବୋଲି କହିଥିଲେ। ତେଣୁ ଟ୍ରମ୍ପ୍ଙ୍କ ମେଳ ମଧ୍ୟ ହିଟ୍ଲରଙ୍କ ସହ ଅନେକ ମାତ୍ରାରେ ସାମଞ୍ଜସ୍ୟ ରଖୁଛି। ହିଟ୍ଲର ଜର୍ମାନୀର ୱିମର ଗଣତନ୍ତ୍ରକୁ ଭାଙ୍ଗି ୧୯୩୪ ସୁଦ୍ଧା ଜର୍ମାନୀକୁ ଏକଦଳୀୟ ଶାସନ ବ୍ୟବସ୍ଥା ଓ ଏକଚ୍ଛତ୍ରବାଦରେ ପରିଣତ କରିଥିଲେ। ଜର୍ମାନୀରେ ହିଟ୍ଲରଙ୍କ ଉଗ୍ର ଜାତୀୟତାବାଦ ଏବଂ ବିସ୍ତାରବାଦୀ ନୀତି ବିଶ୍ବକୁ ପ୍ରଭାବିତ କରିଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିଟ୍ଲରଙ୍କ ମୁଖ୍ୟ ଶତ୍ରୁ ଥିଲେ ମିତ୍ରଶକ୍ତି ସୋଭିଏଟ୍ ସଂଘ, ବ୍ରିଟେନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା। ହିଟଲର ୧୯୩୯ରେ ପୋଲାଣ୍ଡ ଅଧିକାର କରିଥିଲେ । ସେ ୬ଲକ୍ଷ ଇହୁଦୀଙ୍କୁ ହତ୍ୟାକରିଥିଲେ। ସାମ୍ୟବାଦ ପ୍ରଚାର କରୁଥିବା ଇହୁଦୀଙ୍କୁ ଜର୍ମାନୀ ଜାତି ପାଇଁ ପରମ ଶତ୍ରୁ ବୋଲି ଭାବି ନେଇଥିଲେ ହିଟ୍ଲର। ତେବେ ଏକଚ୍ଛତ୍ରବାଦୀ ହିଟ୍ଲର ଇହଧାମରୁ ଯିବାର ୮୧ବର୍ଷ ପରେ ବିଶ୍ବ ଭୂ-ରାଜନୈତିକ ସ୍ଥିତିରେ ଶୀତଳଯୁଦ୍ଧ ସହ ଅନେକ ଛୋଟବଡ଼ ଯୁଦ୍ଧ ଦେଖି ସାରିଲେଣି ବିଶ୍ବବାସୀ। କିନ୍ତୁ ଏବେ ଡୋନାଲ୍ଡ ଟ୍ରମ୍ପ୍ ହିଟ୍ଲରଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଟ୍ରମ୍ପ୍ କିନ୍ତୁ ଇହୁଦୀଙ୍କୁ ହତ୍ୟା ନ କରି ସେମାନଙ୍କୁ ମିତ୍ର ବନାଇଛନ୍ତି। ଇସ୍ରାଏଲର ଇହୁଦୀଙ୍କୁ ବନ୍ଧୁ ବୋଲି ଆପଣେଇଛନ୍ତି ଟ୍ରମ୍ପ୍, ଆମେରିକାରେ ଥିବା ଇହୁଦୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି। ଗାଜାରେ ହମାସକୁ ହତ୍ୟା ନାଁରେ ଶହ ଶହ ଲୋକଙ୍କୁ ହତ୍ୟା କରିଛନ୍ତି ଆମେରିକା ଓ ଇସ୍ରାଏଲର ମିଳିତ ସେନା।
ଇରାନ୍ ସୁପ୍ରିମ ଲିଡରଙ୍କ ବିରୋଧରେ ଜନ ଆନ୍ଦୋଳନ ଆଳ ଦେଖାଇ ଇରାନ୍ ଉପରେ ଆକ୍ରମଣ କରିଛନ୍ତି ଇସ୍ରାଏଲ ଓ ଆମେରିକା। ସେପଟେ ଭେନେଜୁଏଲାଠାରୁ କାନାଡା ଆଉ ଗ୍ରୀନ୍ଲାଣ୍ଡ , ଏପଟେ ଇରାନ୍ରୁ କ୍ୟୁବା ଯାଏ ଦେଶକୁ ଅକ୍ତିଆର କରିବାକୁ ଯୋଜନା ବନାଇଛନ୍ତି ଟ୍ରମ୍ପ୍। ୨୦୨୫ରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ନିଜକୁ ପ୍ରଚୁର ବିଜ୍ଞାପନ କରି ନିରାଶ ହେବା ପରେ ଏବେ ବିଶ୍ବ ଅଶାନ୍ତିର ସୂତ୍ରଧର ପାଲଟିଛନ୍ତି ଟ୍ରମ୍ପ୍। ‘ମେକ୍ ଆମେରିକା ଗ୍ରେଟ୍ ଏଗେନ’ ନାରାକୁ ସଫଳ କରିବାକୁ ବିଭିନ୍ନ ଦେଶ ଉପରେ ଲଗାଇଛନ୍ତି ଉଚ୍ଚ ଟାରିଫ। ଏହାସହ ଟ୍ରମ୍ପ୍ଙ୍କ ମିଶନ ପାଲଟିଛି ଛୋଟ ଦେଶର ପ୍ରାଚୁର୍ଯ୍ୟ ଓ ତୈଳ ସମ୍ପଦ। କାନାଡାକୁ ଆମେରିକାର ଅଂଶ ବୋଲି କହିବା ସହ ଭେନେଜୁଏଲର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ରାତାରାତି ବାନ୍ଧି ନେଇଛନ୍ତି। ଭେନେଜୁଏଲାର ତୈଳ ସମ୍ପଦ ଓ ପ୍ରାକୃତିକ ସମ୍ପଦକୁ କବ୍ଜା କରିଛନ୍ତି। ଗାଜାରେ ହମାସଙ୍କୁ ନିପାତ କରି ନୂଆ ଟ୍ରମ୍ପ୍ ସିଟିର ପରିକଳ୍ପନା କରିଛନ୍ତି। ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦର ସୂତ୍ରଧର କହି ବାହୁସ୍ଫୋଟ ମାରୁଛନ୍ତି। ଏବେ ଇରାନ୍ର ଅଶୋଧିତ ତୈଳ ଭଣ୍ଡାର ହାତେଇବା ପାଇଁ ପ୍ରତିଜ୍ଞା କରିଛନ୍ତି ଟ୍ରମ୍ପ୍। ଟ୍ରମ୍ପ୍ଙ୍କ କୋପରୁ ବର୍ତ୍ତିପାରୁନାହାନ୍ତି ଇରାନ୍ ଓ ଏହାର ସହଯୋଗୀ ରାଷ୍ଟ୍ରର ସାଧାରଣ ଜନତା।
ଇରାନ୍ ବିରୋଧରେ ଯୁଦ୍ଧର ପ୍ରଥମ ଦିନରୁ ୨୮ ଫେବୃଆରୀରେ ଦକ୍ଷିଣ ଇରାନ୍ର ହର୍ମୋଜଗାନ ପ୍ରଦେଶର ଏକ ବାଳିକା ପ୍ରାଥମିକ ବିଦ୍ୟାଳୟରେ ମିଶାଇଲ ମାଡ଼କରି ୧୬୭ ନିରୀହ ଶିଶୁଙ୍କୁ ହତ୍ୟାକରିଛନ୍ତି। କିନ୍ତୁ ଏଥିପାଇଁ ଅନୁତାପ କରୁନାହାନ୍ତି ଟ୍ରମ୍ପ୍। ଇସ୍ରାଏଲ ସହ ମିଶି ଇରାନ୍ର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନେଇ ,ଇରାନ୍ର ଟପ୍ କମାଣ୍ଡର ଅଲି ଲାରିଜାନି, ଜେନେରାଲ ଅଜିଜ୍ ନାସିରଜାଦେ, ଅଲି ମହମ୍ମଦ ନୈନିଙ୍କ ଭଳି ଇରାନ୍ ମିଲିଟାରିର ଶୀର୍ଷ ଅଧିକାରୀଙ୍କୁ ହତ୍ୟାକରିବା ପରେ ଏବେ ଖର୍ଗ ହାତେଇବାକୁ ୨ହଜାର ଆମେରିକୀୟ ସୈନ୍ୟ ଓ ଆହୁରି ୩ ନୌଜାହାଜ ପଠାଇଛନ୍ତି ଟ୍ରମ୍ପ୍। ଟ୍ରମ୍ପ୍ଙ୍କ ଇରାନ୍ ମିଶନ ଶେଷ ନ ହେଉଣୁ କ୍ୟୁବା ଅଧିକାର ପାଇଁ ଏହାର ରାଷ୍ଟ୍ରପତି ମିଗୁଏଲ ଡିଆଜ-କାନେଲକୁ ଟ୍ରମ୍ପ୍ ଧମକ ଦେଇଛନ୍ତି। କ୍ୟୁବା ରାଷ୍ଟ୍ରପତିଙ୍କୁ ହଟାଇ ସ୍ବାଧୀନ ରାଷ୍ଟ୍ର ଘୋଷଣା କରିବାକୁ ନୂଆ ଯୋଜନା କରିଛନ୍ତି ଟ୍ରମ୍ପ୍। ଆମେରିକା ଏବଂ କ୍ୟୁବା ମଧ୍ୟରେ ସମ୍ପର୍କ ଦୀର୍ଘ ୬୫ ବର୍ଷ ଧରି ତିକ୍ତ ରହିଛି। କିଛିଦିନ ହେଲା ଟ୍ରମ୍ପ୍ ପ୍ରଶାସନ କ୍ୟୁବା ଉପରେ ଚାପ ସୃଷ୍ଟିକରିବା ସହ କ୍ୟୁବାକୁ ତୈଳ ଯୋଗାଣ ଜାନୁଆରୀରୁ ବନ୍ଦ ରଖିଛନ୍ତି। ଅନ୍ୟ ଦେଶଗୁଡ଼ିକୁ ମଧ୍ୟ କ୍ୟୁବାକୁ ତେଳ ଯୋଗାଣ ନ କରିବାକୁ ଚେତାବନୀ ଦେଇଛି ଆମେରିକା। ନିକଟରେ ଆମେରିକା ତଟରକ୍ଷୀ ବାହିନୀ କଲମ୍ବିଆରୁ କ୍ୟୁବା ଯାଉଥିବା ଏକ ତୈଳ ଟ୍ୟାଙ୍କରକୁ ଅଟକାଇଥିଲା। ଜାନୁଆରୀ ୯ ପରଠାରୁ କ୍ୟୁବାକୁ କୌଣସି ପ୍ରମୁଖ ତୈଳ ଯୋଗାଣ ହେଉନାହିଁ। କ୍ୟୁବାର ପରିସ୍ଥିତି ବିଗୁଡୁଥିବା ବେଳେ ସାରା ଦେଶରେ ବ୍ଲାକ୍ଆଉଟ ସ୍ଥିତି। କ୍ୟୁବାକୁ ଆମେରିକାର ଧମକ ଦେଖି ରୁଷିଆ ଆଗକୁ ଆସିଛି। କ୍ୟୁବାକୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରୁଷିଆ। ୧୮୯୮ରେ ସ୍ପେନ୍ ଆମେରିକା ଯୁଦ୍ଧ ପରେ କ୍ୟୁବା ସ୍ପେନ୍ ଠାରୁ ସ୍ବାଧୀନ ହୋଇଥିଲା। କିନ୍ତୁ କ୍ୟୁବାର ପ୍ରକୃତ ନିୟନ୍ତ୍ରଣ ଆମେରିକା ହାତକୁ ଚାଲି ଯାଇଥିଲା। ୧୯୫୯ରେ କ୍ୟୁବାର ନେତା ଫିଡେଲ କାଷ୍ଟ୍ରୋଙ୍କ ନେତୃତ୍ୱରେ ଗେରିଲା ଯୁଦ୍ଧ ସହ କ୍ୟୁବାରୁ ଏକଚ୍ଛତ୍ରବାଦୀ ବାଟିଷ୍ଟାଙ୍କୁ କ୍ଷମତାରୁ ହଟାଯାଇଥିଲା। ବାଟିଷ୍ଟାଙ୍କୁ ହଟାଇବାକୁ କାଷ୍ଟ୍ରୋଙ୍କୁ ସମର୍ଥନ କରିଥିଲା ଆମେରିକା। କାଷ୍ଟ୍ରୋ କିନ୍ତୁ କ୍ଷମତାକୁ ଫେରିବା ପରେ ସେ ରୁଷିଆର ନିକଟତର ହୋଇଥିଲେ। ଫଳରେ କାଷ୍ଟ୍ରୋ ଆମେରିକା ପାଇଁ ଶତ୍ରୁ ପାଲଟିଥିଲେ। ଫିଡେଲ କାଷ୍ଟ୍ରୋ ୧୯୫୯ ରୁ ୨୦୦୮ ପର୍ଯ୍ୟନ୍ତ ପ୍ରାୟ ୫ଦଶନ୍ଧି ଧରି ଶାସନ କରିଥିଲେ। ବର୍ତ୍ତମାନ ଟ୍ରମ୍ପ୍ ପ୍ରଶାସନ ଫିଡେଲ କାଷ୍ଟ୍ରୋଙ୍କ ପରିବାର ଉପରେ ପୁରୁଣା ରାଗ ଶୁଝାଇବାକୁ ଚାହୁଛି। ଶେଷରେ ଏତିକି କୁହାଯାଇପାରେ ଟ୍ରମ୍ପ୍ଙ୍କ ସାମ୍ରାଜ୍ୟବାଦ ନୀତି, ଯୁଦ୍ଧଖୋର ମନୋଭାବ ହିଟ୍ଲର ନୀତିଠାରୁ କିଛି କମ୍ ନୁହେଁ।
ଲଳିତେନ୍ଦୁ ପଲାଉରୀ
ବାଲିପନ୍ତାଳ, ନଗର, ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୩୬