Categories: ମେଟ୍ରୋ

ଆବର୍ଜନାମୟ ଭୁବନେଶ୍ୱର

ଭୁବନେଶ୍ୱର,୬ା୭(ବ୍ୟୁରୋ): କରୋନାକୁ ନେଇ ଏବେ ଅଧିକାରୀଙ୍କଠାରୁ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦେଖାଉଛନ୍ତି ବାହାନା। ଫଳରେ ରାଜଧାନୀର କଲୋନୀଠାରୁ ବଜାରଘାଟ ସବୁଠି ପଡ଼ି ରହୁଛି କୁଢ଼କୁଢ଼ ଅଳିଆ। ଘରୋଇ ସଂସ୍ଥା ହାତରେ ଅଧିକାଂଶ ଓ୍ବାର୍ଡ ଟେକିଦେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଚିନ୍ତାରେ ରହୁଥିବାରୁ ସହରର ପରିମଳ କ୍ଷେତ୍ର ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଏପଟେ କିଛି ଅଧିକାରୀ ହାତଗୁଞ୍ଜା ନେଇ ଚୁପ୍‌ ରହୁଥିବାରୁ ସଫେଇ ଦାୟିତ୍ୱରେ ଥିବା ସଂସ୍ଥା ଓ କର୍ମଚାରୀ ମନମୁଖି କାର୍ଯ୍ୟ କରୁଛି। ଏ ପରିସ୍ଥିତି ପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱରର ଏବେ ଆବର୍ଜନା ବୋଝରେ ପୋତି ହେବାରେ ଲାଗିଛି।
ସହରରେ ପରିମଳ ବ୍ୟବସ୍ଥାକୁ ନେଇ ଏବେ ଲୋକଙ୍କ ଅସନ୍ତୋଷ ଓ ଅଭିଯୋଗ ବଢ଼ିଚାଲିଛି। ତେଣୁ ବାସ୍ତବ ସ୍ଥିତି ପରଖିବା ପାଇଁ ଶନିବାର ଆମ ପ୍ରତିନିଧି ଭୁବନେଶ୍ୱରର ବିଭିନ୍ନ ଓ୍ବାର୍ଡକୁ ଯାଇଥିଲେ। ରାଜଧାନୀର ପ୍ରମୁଖ ଅଞ୍ଚଳ ୟୁନିଟ୍‌-୧, ୨ ଓ ୪, ଜନପଥ, କଟକରୋଡ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦିନତମାମ ଅଳିଆ ଆବର୍ଜନା ଗଦା ହୋଇ ରହିଥିଲା। କେତେକ ସ୍ଥାନରେ ଆର୍ବଜନା ସବୁ ବର୍ଷା ପାଣିରେ ରାସ୍ତାସାରା ଭାସୁଥିଲା। ସେହିଭଳି ଏକାଧିକ ରାସ୍ତାରେ ନର୍ଦ୍ଦମା ପାଣି ସହ ଆବର୍ଜନା ଜମି ରହିଥିଲା। ସବୁଠାରୁ ସମ୍ବେଦନଶୀଳ କଥା ହେଲା କରୋନା ଚିହ୍ନଟ ହେଉଥିବା ଅଞ୍ଚଳରେ ପରିମଳ ବ୍ୟବସ୍ଥା ସବୁଠୁ ବିପର୍ଯ୍ୟସ୍ତ ଥିଲା। ବହୁଦିନ ଧରି ଆବର୍ଜନା ଉଠୁ ନ ଥିବା ସ୍ଥାନୀୟ ଲୋକେ କହିଥିଲେ। ଏପରିକି ବିଏମ୍‌ସିକୁ ଜଣାଉଥିଲେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଠାଉଛୁ କହି ଆସୁ ନ ଥିବା ଓ ଆଉ କେତେବେଳେ ବାହାନା ଦେଖାଉଥିବା ସେମାନେ ଜଣାଛନ୍ତି।
ବିଏମ୍‌ସି ପରିମଳ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, କର୍ମଚାରୀ ଅଭାବ ଯୋଗୁ ସହରର ପରିମଳ ଦାୟିତ୍ୱ ୩ଟି ଘରୋଇ ସଂସ୍ଥାକୁ ଦିଆଯାଇଛି। ୬୭ଟି ୱାର୍ଡ଼ରୁ ବିଏମ୍‌ସି ୧୦ଟି ୱାର୍ଡ଼ର କଥା ବୁଝୁଥିବାବେଳେ ଅନ୍ୟ ୫୭ଟିକୁ ଘରୋଇ ସଂସ୍ଥାକୁ ଦିଆଯାଇଛି। ହେଲେ କେତେକ ଘରୋଇ ସଂସ୍ଥା ସଫେଇ କାର୍ଯ୍ୟ ଠିକ୍‌ ଭାବେ କରୁ ନ ଥିବାରୁ ଆବର୍ଜନା ପଡି ରହୁଛି। ୱାର୍ଡ ନଂ. ୪୨ର ପୂର୍ବତନ କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ କହିଛନ୍ତି, କାଉନ୍‌ସିଲ୍‌ ସରିବା ପରେ ଆଉ ସଫେଇ ସଂସ୍ଥାମାନେ ବୋଲ ମାନୁନାହାନ୍ତି। ସେହିପରି ୱାର୍ଡ ନଂ. ୩୯ର ସାମାଜିକକର୍ମୀ ମିଲନ ପାଇକ୍‌ରାୟଙ୍କ ସମେତ ବହୁ ନାଗରିକ ମଧ୍ୟ ବିଏମ୍‌ସିର ସେବାକୁ ନେଇ ଅସନ୍ତୋଷ ପ୍ରକାଶ କରଛନ୍ତି। ଅଳିଆ ଉଠାଇବା ନେଇ ବହୁ ଅଭିଯୋଗ ପରେ ବିଏମ୍‌ସି କର୍ତ୍ତୃପକ୍ଷ କିଛି ଶୁଣି ନ ଥିଲେ। ବହୁଦିନ ଧରି ଅଳିଆ ପଡି ରହିଥିଲା। କିଛିଦିନ ତଳେ ବିଧାୟକ ଅନନ୍ତ ନାରାୟଣ ଜେନା ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ କହିବା ପରେ ଏବେ ଅଳିଆ ଉଠୁଥିବା ସେ କହିଛନ୍ତି। ଅଳିଆ ପଡି ରହୁଥିବା ନେଇ ପ୍ରତିଦିନ ପାଖାପାଖି ୪୦ରୁ ୫୦ ଅଭିଯୋଗ ଆସୁଥିବାବେଳେ ୪୦% ଅଭିଯୋଗର ସମାଧାନ କରାଯାଉଥିବା ଜଣାପଡ଼ିଛି। ହେଲେ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ପୂରା ଠିକ୍‌ ଥିବା ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ସେ କୁହନ୍ତି, ସବୁ ମାସରେ ଠିକା ସଂସ୍ଥା ନାଁରେ ସଫେଇକୁ ନେଇ ନାନା ଅଭିଯୋଗ ଆସିଛି। ତେଣୁ ପଦକ୍ଷେପ ସ୍ବରୂପ ସଂସ୍ଥା ପାଇବାକୁ ଥିବା ଦେୟରୁ ୮ରୁ ୧୦ଲକ୍ଷ ଟଙ୍କା ଜରିମାନା ବାବଦରେ କାଟି ରଖୁଛୁ। ଏହାସତ୍ତ୍ୱେ ବି ଠିକା ସଂସ୍ଥ ଓ କର୍ମଚାରୀ ଅବହେଳା କରୁଛନ୍ତି। କିନ୍ତୁ ଅଳିଆ ପଡ଼ିରହୁଥିବା କଥାକୁ ସେ ଏଡ଼ାଇ ଯିବା ସହ ପରିମଳ ଉପରେ ବିଏମ୍‌ସି ବର୍ତ୍ତମାନ ଅଧିକ ନଜର ଦେଉଥିବା ସେ କହିଛନ୍ତି। ହେଲେ ସହରରେ ପରିମଳର ପ୍ରକୃତ ଚିତ୍ର ଭିନ୍ନ ରହୁଛି।