Categories: ଖେଳ

ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ କାର୍ଯ୍ୟସୂଚୀ ପ୍ରକାଶ: ଦର୍ଶକଙ୍କୁ ମିଳିବନି ଅନୁମତି

ଦୁବାଇ,୮।୯: ଆଇସିସି ଟି-୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌ରେ ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମ୍ୟାଚ ଅକ୍ଟୋବର ୧୭ ଏବଂ ଅକ୍ଟୋବର ୧୯ରେ ଖେଳାଯିବ। ରୋହତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତ ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବ୍ରିସ୍‌ବେନ୍‌ର ଗାବାଠାରେ ଖେଳିବ।

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟୁର୍ନାମେଣ୍ଟରେ ଭାଗ ନେଉଥିବା ୧୬ଟି ଦଳ ପାଇଁ ଓ୍ବାର୍ମଅପ୍‌ କାର୍ଯ୍ୟସୂଚୀ ମଙ୍ଗଳବାର ଘୋଷଣା କରିଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ରାଉଣ୍ଡ ଟିମ୍‌ଗୁଡ଼ିକର ଅଭ୍ୟାସ ମ୍ୟାଚ ଅକ୍ଟୋବର ୧୦ରୁ ୧୩ ପର୍ଯ୍ୟନ୍ତ ହେବ।

କାର୍ଯ୍ୟସୂଚୀ ଅନୁସାରେ ଅକ୍ଟୋବର ୧୦ରେ ପ୍ରଥମ ଓ୍ବାର୍ମଅପ ଦୁଇଥର ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ (୨୦୧୨ ଓ ୨୦୧୬) ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମଧ୍ୟରେ ମ୍ୟାଚ ଜଙ୍କସନ ଓଭାଲଠାରେ ହେବ। ପ୍ରତ୍ୟେକ ପ୍ରଥମ ରାଉଣ୍ଡ ଟିମ୍‌ ଦୁଇଟି ଲେଖାଏଁ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳିବେ। ଅକ୍ଟୋବର ୧୮ରେ ଗାବାଠାରେ ୨୦୦୯ ବିଜେତା ପାକିସ୍ତାନ ଓ ୨୦୧୦ ସଂସ୍କରଣ ବିଜେତା ଇଂଲଣ୍ଡ ପରସ୍ପରକୁ ଭେଟିବେ। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ଠାରେ ୨୦୧୪ରେ ଟି୨୦ ବିଶ୍ୱକପ୍‌ ବିଶ୍ୱକପ୍‌ ବିଜେତା ଶ୍ରୀଲଙ୍କା ଏହାର ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ଜିମ୍ବାଓ୍ବେ ଓ ଆୟର୍ଲାଣ୍ଡ ବିପକ୍ଷରେ ଯଥାକ୍ରମେ ଅକ୍ଟୋବର ୧୦ ଓ ଅକ୍ଟୋବର ୧୩ରେ ଖେଳିବ। ଓ୍ବାର୍ମଅପ୍‌ ମ୍ୟାଚ ୯ଦିନ ଧରି ଅନୁଷ୍ଠିତ ହେବ। ଏହାକୁ ଦେଖିବା ଲାଗି ଦର୍ଶକମାନଙ୍କୁ ଅନୁମତି ମିଳିବ ନାହିଁ। ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଅକ୍ଟୋବର ୧୬ରୁ ଆରମ୍ଭ ହେବ।

Share