ଭଙ୍ଗାକାନ୍ଥରେ ୱାଲ୍‌ପେଣ୍ଟିଂ

ନୟାଗଡ଼ ଅଫିସ, ୨୩ା୧୦: ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାନ୍ଥ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁରହିଛି। ତେବେ କିଛି ସ୍ଥାନରେ ଭଙ୍ଗା କାନ୍ଥରେ ୱାଲ୍‌ପେଣ୍ଟିଂ କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କିଛିଦିନ ତଳେ ନୟାଗଡ଼ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ପ୍ରାଚୀର ଭାଙ୍ଗିଯାଇଥିଲା। ଏହା ଏଯାବତ ମରାମତି ହୋଇପାରି ନାହିଁ। ଏଭଳିସ୍ଥଳେ ମନ୍ଦିର ଦକ୍ଷିଣପାର୍ଶ୍ୱ ପ୍ରାଚୀରରେ ୱାଲ୍‌ପେଣ୍ଟିଂ କରାଯାଉଛି। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଚୀରରେ ଫଟୋଚିତ୍ର ଶୋଭାପାଉଛି। କିନ୍ତୁ କିଛି ପ୍ରାଚୀର ନଷ୍ଟ ହୋଇଯାଇଥିଲେ ମଧ୍ୟ ତାକୁ ପ୍ରାଧାନ୍ୟ ଦିଆଯାଉନି। ଜିଲାର ବିଭିନ୍ନ ସ୍ଥାନରେ ପ୍ରାଚୀର ନଷ୍ଟ ହୋଇ ରହିଛି।
ଲୋକଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜିଲା ଓ ରାଜ୍ୟ ଐତିହ୍ୟର ଫଟୋଚିତ୍ର ଏହି ପ୍ରାଚୀରରେ କରାଯାଉଛି। କାନ୍ଥ ସୌନ୍ଦର୍ଯ୍ୟକରଣ ଏକ ଭଲ ପଦକ୍ଷେପ। ଏହା ଦ୍ୱାରା ପେଣ୍ଟରମାନେ ବି ରୋଜଗାର ପାଇଥାନ୍ତି। କିନ୍ତୁ ପେଣ୍ଟିଂ ପୂର୍ବରୁ ପ୍ରାଚୀର କେତେ ସୁରକ୍ଷିତ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ଯଦି ଏହା ଭୁଶୁଡ଼ିପଡେ ତେବେ ଫଟୋଚିତ୍ର କରି ଲାଭ କ’ଣ ବୋଲି ପ୍ରଶ୍ନ ଉଠୁଛି। ଭାଙ୍ଗିଥିବା କାନ୍ଥରେ ୱାଲପେଣ୍ଟିଂ ସରକାରୀ ଅନୁଦାନ ଅପବ୍ୟୟ ବୋଲି କୁହାଯିବ। ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଆମେ ଅନୁଧ୍ୟାନ କରିବୁ। ଯଦି କାନ୍ଥ ବିପଦସଙ୍କୁଳ ଥାଏ ଆଉ ଚିତ୍ର କରିବୁ ନାହିଁ।