ନୂଆପଡ଼ା,୧୬ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଭରୁଆମୁଣ୍ଡା ଗାଁରେ ନୂତନ ଭୋଟ ଗ୍ରହଣ କେନ୍ଦ୍ର କରିବା ପାଇଁ ଗ୍ରାମବାସୀ ସୋମବାର ଉପଜିଲାପାଳ ସୁର୍ମି ସୋରେନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ଭରୁଆମୁଣ୍ଡା ଗାଁର ୨ ୱାର୍ଡରେ ସୋରିପଡା, ଖଲିଆପଡା, ଘାଟିପଡା, ବରପଦର ପଡା, ପତରଫଡି ପଡା ରହିଛି। ଭରୁଆମୁଣ୍ଡା ଗାଁ ଓ ୫ ପଡାରେ ୭ ଶହରୁ ଊର୍ଦ୍ଧ୍ୱ ଭୋଟର ରହିଥିବା ବେଳେ ମତଦାନ କେନ୍ଦ୍ର ଜଟଗଡରେ ରହିଛି। ଭରୁଆମୁଣ୍ଡାରୁ ସୋରିପଡା ଦେଇ ଜଟଗଡ ଗଲେ ୫ କିଲୋମିଟର ଗଲେ ୧୦ କି.ମି. ପଡୁଛି। ସେହିପରି ଘାଟିପଡା, ବରପଦର ପଡାକୁ ୧୫ କି.ମି. ପଡୁଛି। ଲମ୍ବା ରାସ୍ତା ହେଉଥିବାରୁ ବୃଦ୍ଧା, ଭିନ୍ନକ୍ଷମ, ଗର୍ଭବତୀ, ପ୍ରସୁତି ଯାଇ ନିଜ ମତ ସାବ୍ୟସ୍ତ କରିପାରୁ ନାହାନ୍ତି। ଗ୍ରାମବାସୀ ଦର୍ଶାଇଛନ୍ତି, ଜଟଗଡ ବିଦ୍ୟାଳୟ ବୁଥ୍ ନଂ.୧୯୯ରେ ଭୋଟ ସମୟରେ ଯାଇ ଭୋଟ ଦେଇଥାଉ। ସେହି ଭୋଟ ଗ୍ରହଣ କେନ୍ଦ୍ରକୁ ଭାରୁଆମୁଣ୍ଡା ବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲେ ସମସ୍ତଙ୍କ ସୁବିଧା ହୋଇପାରନ୍ତା। ଏହା ଉପରେ ସୁବିଚାର କରିବାକୁ ସେମାନେ ଦାବି କରିଛନ୍ତି। ଏହି ସମୟରେ ୱାର୍ଡସଭ୍ୟ ପ୍ରେମମଞ୍ଜୁଳା ମାଝି, ଜଗନି ଧରୁଆ, ରତନ ମାଝି, ମୋହନ ମାଝି, ମୋଟାରାମ ମାଝି, ପିତାମ୍ବର ଗଡତିଆ, ଅତବଲ ମାଝି, ବାସୁଦେବ ମାଝି, ପ୍ରେମସିଂ ମାଝି, ସୁରେନ୍ଦ୍ର ରଣା, ଚଞ୍ଚଳା ମାଝି, ସରାବନି ମାଝି, ଗୌରୀ ମାଝି, ଦହନା ମାଝି ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।


