ଆର୍ଥିକ ସଙ୍କଟ ସୃଷ୍ଟି ହେବ ନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୯।୮(ପି.ଟି.): ଚାଇନା ମୋବାଇଲ କମ୍ପାନୀ ଭିଭୋ ସହ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟାଇଟଲ ସ୍ପୋନ୍ସରଶିପ୍‌ ବାତିଲ ଘଟଣା ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି। ଏହା ଏକ ନିହାତି ମାମୁଲି ଝଟ୍‌କା। ଏହା ଦ୍ୱାରା ଆର୍ଥିକ ସଙ୍କଟ ସୃଷ୍ଟି ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଇପିଏଲ୍‌ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ହାତରେ ଆଉ ମାତ୍ର ଅଳ୍ପ ଦିନ ରହିଥିବା ବେଳେ ବିସିସିଆଇ ଓ ଭିଭୋ ଗତ ଗୁରୁବାର ଟାଇଟଲ ସ୍ପୋନ୍ସରଶିପ୍‌ ନେଇ ହୋଇଥିବା ଚୁକ୍ତିକୁ ସହମତିରେ ବାତିଲ କରିଥିଲେ। ତେବେ ଏହା ଦ୍ୱାରା ସେଭଳି କିଛି ଫରକ ପଡିବ ନାହିଁ ବୋଲି ସେ କହିଛନ୍ତି। ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଭିଭୋ ୨୧୯୦ କୋଟି ଟଙ୍କା ବିନିମୟରେ ଆଇପିଏଲ ଟାଇଟଲ ସ୍ପୋନ୍ସରଶିପ୍‌ ରାଇଟ୍‌ ହାସଲ କରିଥିଲା। ବର୍ଷକୁ ପାଖାପାଖି ୪୪୦ କୋଟି ଟଙ୍କା ଭିଭୋ ପ୍ରଦାନ କରୁଥିଲା। ଏହି ଅର୍ଥର ଅଧା ପ୍ରାଞ୍ଚାଇଜ୍‌ମାନେ ସମାନଭାବେ ବାଣ୍ଟ କରି ନେଉଥିଲେ। ତେଣୁ ଏହାକୁ ଏକ ବଡ଼ ଆର୍ଥତ୍କ କ୍ଷତି ବୋଲି କହିବି ନାହିଁ। ଏହା ଏକ ମାମୁଲ ଝଟ୍‌କା ବୋଲି ଗାଙ୍ଗୁଲି ଶିକ୍ଷା ପୁସ୍ତକ ପ୍ରକାଶକ ଏସ୍‌. ଚାନ୍ଦ ଗ୍ରୁପ୍‌ର ଏକ ଓ୍ବେବିନାରରେ ଅଂଶଗ୍ରହଣ କରିବା ଅବସରରେ କହିଛନ୍ତି। ବିସିସିଆଇ ଏକ ଶକ୍ତିଶାଳୀ ତଥା ଦୃଢ଼ ଅନୁଷ୍ଠାନ। କ୍ରିକେଟ, ଖେଳାଳି, ପ୍ରଶାସକମାନେ ଏହାକୁ ଦୃଢ଼ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତେଣୁ ଏଭଳି ମାମୁଲି ଝଟ୍‌କୁ ବିସିସିଆଇ ଅତି ସହଜରେ ସମ୍ଭାଳିବାର କ୍ଷମତା ରଖୁଛି। ଏଭଳି ପରିସ୍ଥିତି ପାଇଁ ବିସିସିଆଇ ସବୁବେଳେ ପ୍ଲାନ ବି’ ଅର୍ଥାତ୍‌ ବିକଳ୍ପ ସମାଧାନ ପନ୍ଥା ରଖିଥାଏ ବୋଲି ସେ କହିଛନ୍ତି।

Share