ଯୋଜନାରେ ସୀମିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର

କଟକ ଅଫିସ,୧୫।୪:  ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଅତ୍ୟାଧୁନିକ ହେବ। ପାଠାଗାରରେ ଇ-ଲାଇବ୍ରେରି ସୁବିଧା ରହିବ। ଏକାବେଳେ ୫୦୦ ଜଣ ବସି ପାଠ ପଢିଲା ଭଳି ହଲ୍‌ ନିର୍ମାଣ କରାଯିବ। ବସିବା ଓ ପଢିବା ପାଇଁ ଅଲଗା ପ୍ରକୋଷ୍ଠ, ବରିଷ୍ଠ ନାଗରିକ ଓ ମହିଳା ପାଠକଙ୍କ ନିମନ୍ତେ ସ୍ବତନ୍ତ୍ର ସୁବିଧା, ପୁସ୍ତକଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣ, ନୂଆ ପୁସ୍ତକ କିଣାଯିବା ବ୍ୟବସ୍ଥା, ପାଠାଗାରର କମ୍ପ୍ୟୁଟରୀକରଣ କରିବା ଭଳି ଯୋଜନା ପ୍ରସ୍ତୁତ କରାଯାଇ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିଲା। ମାତ୍ର ଏହାର ନିର୍ମାଣ ଯୋଜନାରେ ସୀମିତ ରହିଯାଇଛି।
ବାଦାମବାଡି ବସ୍‌ଷ୍ଟାଣ୍ଡକୁ ଖାନ୍‌ନଗରକୁ ସ୍ଥାନାନ୍ତର କରି ଅତ୍ୟାଧୁନିକ ଶୈଳୀରେ ନେତାଜୀ ସୁଭାଷ ବସ୍‌ ଟର୍ମିନାଲ କୋଠା ନିର୍ମାଣ କରାଯାଉଛି। ଏହି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରକୁ ଭାଙ୍ଗି ଦିଆଯାଇଛି। ବସ୍‌ଷ୍ଟାଣ୍ଡ ପାଇଁ ନିର୍ମାଣ କୋଠା ୫ ମହଲା ଛୁଇଁଥିଲାବେଳେ ପ୍ରସ୍ତାବିତ ଏହି ପାଠାଗାରର ନୂତନ କୋଠା ପାଇଁ ସରକାର ଜମି ଚିହ୍ନଟ କରିଥିବା ଜାଗାରେ ଶିଳାନ୍ୟାସ ବି କରିନାହାନ୍ତି। ପାଠାଗାର ନିର୍ମାଣ ପାଇଁ ୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଓଡ଼ିଶାର ସର୍ବବୃହତ୍ତମ ପଠାଗାର ହେବ ବୋଲି କୁହାଯାଉଛି। ହେଲେ ୨ ବର୍ଷ ଭିତରେ ପାଠାଗାର ନିର୍ମାଣ କାମ ବ୍ଲ୍ୟୁପ୍ରିଣ୍ଟ୍‌ରେ ଅଟକି ଯାଇଛି। ନିର୍ମାଣରେ ବିଳମ୍ବ ଘଟିଲେ ପାଠାଗାରରେ ପୂର୍ବରୁ ରହିଥିବା ପ୍ରାୟ ୬୦ ହଜାର ବହି ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପାଠାଗାର ୧୯୮୧ ମସିହାରେ ପ୍ରଥମେ ଶହୀଦ ଭବନରେ ଆରମ୍ଭ ହୋଇଥିଲା। ପରେ ୧୯୯୮ରେ ଏହାକୁ ଖାନ୍‌ନଗରକୁ ସ୍ଥାନାନ୍ତର କରାଯାଇଥିଲା। କଟକ ତଥା ଆଖପାଖ ଅଞ୍ଚଳର ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରମାନେ ଏହି ପାଠାଗାର ଉପରେ ନିର୍ଭର କରୁଥିଲେ। ଏହି ପାଠାଗାରରେ ଅଧ୍ୟୟନ କରି ଅନେକ ବ୍ୟକ୍ତି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ମାତ୍ର ସରକାର ବିକାଶ ଆଳରେ ଏହି ପୁରାତନ ପାଠାଗାରକୁ ଭାଙ୍ଗି ଦେଇଛନ୍ତି। ତତ୍କାଳୀନ ସିଏମ୍‌ସି କମିଶନର ଅନନ୍ୟା ଦାସ ସେତେବେଳେ ସହରବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ, ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ୩.୭୫ ଏକର ଜମିରେ ଏକ ଅତ୍ୟାଧୁନିକ ପାଠାଗାର ନିର୍ମାଣ କରାଯିବ। ଏହି କାର୍ଯ୍ୟ ୬ ମାସ ଭିତରେ ସରିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଚିହ୍ନଟ ଜମିରେ କାମ ଆରମ୍ଭ ହୋଇପାରିଲା ନାହିଁ। ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।