ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ଗୋହତ୍ୟା ବନ୍ଦ, ଧର୍ମାନ୍ତରୀକରଣ ରୋକିବା ଏବଂ ଗୋ-ଆଧାରିତ କୃଷିକୁ ପ୍ରୋତ୍ସାହନ ଦେବା ନେଇ ସଂଗଠନ ପକ୍ଷରୁ ମତ ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୩୦ ତାରିଖରେ ଗୋହତ୍ୟା ବନ୍ଦ ଦାବିରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏଥିରେ ପ୍ରାୟ ୫୦ ହଜାର ହିନ୍ଦୁଙ୍କୁ ଏକାଠି କରାଯିବ ବୋଲି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଗୋରକ୍ଷା ସହ ଗୋ-ଆଧାରିତ କୃଷିକୁ ଗୁରୁତ୍ୱ ଦେଇ ଗାଈ ବଞ୍ଚିଲେ କୃଷି ବଞ୍ଚିବ ବୋଲି ବକ୍ତାମାନେ ମତ ଦେଇଥିଲେ।

କନ୍ଧ ସମ୍ପ୍ରଦାୟର ଲୋକେ ଚାଷ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ ଆହ୍ବାନ ଦିଆଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦ ସଂଗଠନ ମନ୍ତ୍ରୀ ଶରତ ଚନ୍ଦ୍ର ପ୍ରଧାନ କହିଥିଲେ ଯେ, ସ୍ବାମୀଜୀ ଗୋରକ୍ଷା ଓ ସମାଜ ସୁରକ୍ଷା ନେଇ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହାକୁ ବିଶ୍ୱ ହିନ୍ଦୁ ପରିଷଦ ଆଗକୁ ନେବ। ସ୍ବାମୀଜୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପ୍ରଧାନ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ପାଳକ ଅଧିକାରୀ ଅରୁଣ କୁମାର ପାଢ଼ୀ, ଜିଲା ସଭାପତି ମୁରଲୀଧର ପଣ୍ଡା, କରଚୁଲି ମଠର ସ୍ବାମୀ ସତ୍ୟାନନ୍ଦ ମହାରାଜ, ସ୍ବାମୀ ରାଘବ ନନ୍ଦ ମହାରାଜ, ଜିଲା ସଂଘ ଚାଳକ ବନମାଳୀ ଗୌଡ଼, ଜିଲା ଉପସଭାପତି ମାହେଶ୍ୱରୀ ଭଉଣୀ, ଜିଲା ସମ୍ପାଦକ ବଟକୃଷ୍ଣ ପଣ୍ଡା, କୋଷାଧ୍ୟକ୍ଷ ଏସ. କୁମାର ପାତ୍ର, ରାଜ୍ୟ ଗୋରକ୍ଷା ପ୍ରମୁଖ ଅମ୍ବିକା ଦାସ ଓ ଯୁଗ୍ମ ସମ୍ପାଦକ ସଞ୍ଜୟ କୁମାର ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଦିନରେ ଗୋରକ୍ଷା, ଗୋ-ଆଧାରିତ କୃଷି ଓ ହିନ୍ଦୁ ସମାଜର ଏକତା ଦିଗରେ ସଂଗଠନ ଅଧିକ ସକ୍ରିୟ ହେବ ବୋଲି କୁହାଯାଇଥିଲା। ଏହି ଅବସରରେ ଡି ଚେଲପତି ରାଓ, କଳପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share