Categories: ଖେଳ

ମୁଁ ପୂରା ଫିଟ୍‌

କେପ୍‌ ଟାଉନ,୧୦।୧: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ତଥା ଅନ୍ତିମ ଟେଷ୍ଟ। ସିରିଜ୍‌ର ବିଜେତା ନିର୍ଣ୍ଣୟ ହେବାକୁ ଥିବା ମ୍ୟାଚ୍‌ ଲାଗି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ସମ୍ପୂର୍ଣ୍ଣ ଫିଟ୍‌। କିନ୍ତୁ ଯୁବ ପେସର ମହମ୍ମଦ ସିରାଜ ଆହତ ସମସ୍ୟା କାରଣରୁ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପିଠି ଜନିତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିବା କୋହଲି ରବିବାର ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ। ତୃତୀୟ ଟେଷ୍ଟ ପୂର୍ବରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୋହଲି କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ଫିଟ୍‌। ଗତ ମ୍ୟାଚ୍‌ ବେଳେ ସିରାଜଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ସେ ଏବେ ଏହି ସମସ୍ୟା ସହ ସଂଘର୍ଷ କରୁଛନ୍ତି। ମୋତେ ଲାଗୁନି ତୃତୀୟ ଟେଷ୍ଟ ଲାଗି ସେ ଉପଲବ୍ଧ ହେବେ। ଶତପ୍ରତିଶତ ଫିଟ୍‌ ନ ଥିବା ବୋଲରଙ୍କୁ ନେଇ ଆମେ ରିସ୍କ ନେବାକୁ ଚାହୁଁନାହୁଁ”।

ତେବେ ସିରାଜଙ୍କ ବଦଳରେ ଇଶାନ୍ତ ଶର୍ମା ଓ ଉମେଶ ଯାଦବଙ୍କ ମଧ୍ୟରୁ କାହାକୁ ଗୁରୁତ୍ୱ ଦିଆଯିବ ସେ ସ୍ପଷ୍ଟ କରି ନାହାନ୍ତି।

“ବଦଳ ଖେଳାଳିଙ୍କ ଉପରେ ଆମେ ନିଷ୍ପତ୍ତି ନେଇନାହୁଁ। ମୁଖ୍ୟ କୋଚ୍‌ ଓ ଉପ ଅଧିନାୟକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯିବ। ବେଞ୍ଚରେ ବସିଥିବା ୪ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ବାଛିବା କଷ୍ଟକର। କାରଣ ପ୍ରତ୍ୟେକ ଭଲ ବୋଲିଂ କରୁଛନ୍ତି, ନହେଲେ ବ୍ୟାଟିଂ କରୁଛନ୍ତି। ଏହା ଉପରେ ଆମେ ବିଚାର କରୁଛୁ। ଏଣୁ କେଉଁ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିବ, ତାହା ଉପରେ ଆଲୋଚନା କରାଯିବ ”

Share