ଜୋହାନ୍ସବର୍ଗ,୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେ ସ୍ଥାନୀୟ ଓ୍ବାଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୋମବାରଠାରୁ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଏକାଠି ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିପାରନ୍ତି। ଦୁହେଁ ଟେଷ୍ଟ କ୍ରିକେଟରେ ୧୦୦ କ୍ୟାଚ୍ ନେବା ଠାରୁ ଅଳ୍ପ ଦୂରରେ ଅଛନ୍ତି। କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କ ତାଲିକାରେ ସାମିଲ ହେବା ପାଇଁ କୋହଲିଙ୍କୁ ମାତ୍ର ୨ଟି କ୍ୟାଚ୍ ଦରକାର ଥିବା ବେଳେ ତାଙ୍କଠୁ ଗୋଟିଏ ଅଧିକ କ୍ୟାଚ୍ ଧରିବା ଦରକାର ରାହାନେଙ୍କୁ।
ଟେଷ୍ଟ କ୍ରିକେଟ ଇତିହାସରେ ୧୦୦ କିମ୍ବା ତତୁର୍ଦ୍ଧ୍ୱ କ୍ୟାଚ୍ ନେଇଥିବା ଖେଳାଳିଙ୍କ ତାଲିକାରେ ମାତ୍ର ୫ ଭାରତୀୟ ଅଛନ୍ତି। ଏହି ତାଲିକାରେ ୨୦୯ କ୍ୟାଚ୍ ସହ ଶୀର୍ଷରେ ଅଛନ୍ତି ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍। ତାଙ୍କ ପଛକୁ ଭିଭିଏସ୍ ଲକ୍ଷ୍ମଣ (୧୩୫), ସଚିନ ତେନ୍ଦୁଲକର(୧୧୫), ସୁନିଲ ଗାଭାସ୍କର (୧୦୮) ଓ ମହମ୍ମଦ ଆଝାରୁଦ୍ଦିନ (୧୦୫)।


