କାରଖାନା ପ୍ରତିଷ୍ଠାକୁ ନେଇ ତେଜିଲା ବିରୋଧ

କେନ୍ଦୁଝର,୮ା୬(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଏବଂ ନୂଆଗାଁ ପଞ୍ଚାୟତରେ ଏକ ଶିଳ୍ପ ପ୍ରତିଷ୍ଠାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଛି। ଏହି କାରଖାନାର ଜମି ଚିହ୍ନଟ ପାଇଁ ବୁଧବାର ବୀରକିଶୋରପୁର, ଗୁହାଳହିଡି,ଦାବାଙ୍କ,ବିସ୍ତାପାଳ,ରତନପୁର ଗ୍ରାମରେ ଡ୍ରୋନ୍‌ ଜରିଆରେ ୨ ଜଣ କର୍ମଚାରୀ ବିପ୍ଲବ କୁମାର ସାହୁ, ରଶ୍ମୀରଞ୍ଜନ ବଳ ସର୍ଭେ କରିଥିଲେ। ଗୁହାଳଡିହିରେ ଡ୍ରୋନ୍‌ ସର୍ଭେ ସମୟରେ ଉତ୍ତ୍ୟକ୍ତ ଗ୍ରାମବାସୀ ଗୁହାଳଡିହି ରେଳ ଷ୍ଟେଶନ ନିକଟରେ ଅଟକ ରଖିଥିଲେ। ୪ ଘଣ୍ଟା ଅଟକ ରଖିବା ପରେ ସଦର ଆଇଆଇସି ସୁଶାନ୍ତ କୁମାର ଦାସ ଏବଂ ସଦର ଏସ୍‌ଡିପିଓ ମହେନ୍ଦ୍ର ହେମ୍ବ୍ରମ ପହଞ୍ଚି ବୁଝାଶୁଝା କରିବାରୁ ତାଙ୍କୁ ନୂଆଗାଁ ସରପଞ୍ଚ ଆଶୀର୍ବାଦ ନାଏକଙ୍କ ଉପସ୍ଥିତିରେ ପୋଲିସ ଜିମା ଦେଇଥିଲେ। ଏହି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଆଜି ନୂଆଗାଁ ଏବଂ ପଦ୍ମପୁର ପଞ୍ଚାୟତର ବହୁ ସଂଖ୍ୟାରେ ଗ୍ରାମବାସୀ ଜିଲାପାଳଙ୍କ ଅଫିସକୁ ଆସି ପ୍ରତିବାଦ ଜଣାଇଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଅଞ୍ଚଳରେ ସେମାନେ ଶାନ୍ତିପୂର୍ଣ୍ଣ ଚାଷବାସ କରି ବଞ୍ଚି ଆସୁଥିଲେ। ସେଠାରେ କାରଖାନା ହେଲେ ଦୀର୍ଘବର୍ଷ ଧରି ଜମି ଦଖଲ କରି ଚାଷ କରି ଆସୁଥିବା ଜୀବିକା ହରାଇବେ। ସେହିପରି କାରଖାନା ହେଲେ ଉକ୍ତ ଅଞ୍ଚଳରେ ପ୍ରଦୂଷଣ ବ୍ୟାପିବ। ଫଳରେ ସେମାନଙ୍କ ଜୀବନଜୀବିକା ବିପନ୍ନ ହେବ ବୋଲି ପ୍ରେମାନନ୍ଦ ମହାନ୍ତ କହିଛନ୍ତି । ସେମାନେ ପୂର୍ବରୁ ସଦର ତହସିଲରେ ପ୍ରତିବାଦ କରିଥିଲେ ହେଁ ନ ଶୁଣିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଗତକାଲି ଡ୍ରୋନ୍‌ ଜରିଆରେ ସର୍ଭେ କରିବା ପରେ ସେମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା। ଏଣୁ ଗ୍ରାମବାସୀ କାରଖାନା ପାଇଁ ବେସରକାରୀ ଜମି କମ୍ବା ସରକାରୀ ଜମି ଛାଡ଼ିବେ ନାହିଁ ବୋଲି ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇଛନ୍ତି। ଫଳରେ ରୁଙ୍ଗ୍‌ଟା ପକ୍ଷରୁ ହେବାକୁ ଥିବା କାରଖାନା ଆରମ୍ଭରୁ ଜନ ଅସନ୍ତୋଷର ସମ୍ମୁଖୀନ ହୋଇଛି।