ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ

ଗଞ୍ଜାମ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ ମନ୍ଦିର କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଜେସିବି ଦ୍ୱାରା ଭାଙ୍ଗି ଦେଇଥିଲେ । ଏ ନେଇ କନ୍ଧ ଶତପଥୀ ଥାନାରେ ଏତଲା ଦେବା ସହ ତହସିଲଦାରଙ୍କୁ ଅବଗତ କରାଇଥିଲେ । ପୋଲିସ ଉପସ୍ଥିତିରେ ତହସିଲ ପ୍ରଶାସନ ଜାଗା ମପାମପି କରିବା ପରେ ମନ୍ଦିରର କିଛି ଜାଗା ନ ଥିବା ଓ ଶତପଥୀଙ୍କ ୬ ଫୁଟ ଘରକୁ ଜୋର ଜବରଦସ୍ତ ଭାଙ୍ଗି ଦିଆଯାଇଥିବା ଜଣାପଡିଥିଲା । ଫଳରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ଘର ଭାଙ୍ଗିଥିବା ଲୋକଙ୍କ ଉପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏ ନେଇ କନ୍ଧ ଶତପଥୀ ଏବଂ ତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଘର ଭାଙ୍ଗିଥିବା ମନ୍ଦିର କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଧମକ ମିଳୁଥିବା କନ୍ଧ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ଆରଆଇ ରିପୋର୍ଟ ଦେଲା ପରେ ସୁନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।