ଇମ୍ଫାଲ,୧୩।୨: ମଣିପୁରରେ ଭୟଙ୍କର ସଂଘର୍ଷ। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁର ଆାନ୍ତ ହୋଇ ଉଠିଛି। ଜଣେ ସିଆରପିଏଫ ଯବାନ ହଠାତ୍ ନିଜ ଶିବିର ଉପରେ ଗୁଳି ଚଳାଇଛନ୍ତି। ଏହାପରେ ସେ ନିଜକୁ ଗୁଳି କରିଦେଇଛନ୍ତି। ଏହି ଗୁଳିବିନିମୟରେ ଦୁଇ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୮ ଜଣ ଆହତ ହୋଇଛନ୍ତି।
ଏହି ଘଟଣାଟି ଗୁରୁବାର ରାତି ପ୍ରାୟ ୮.୨୦ ସମୟରେ ଇମ୍ଫାଲ ପଶ୍ଚିମ ଜିଲାର ଲାମଫେଲସ୍ଥିତ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଶିବିରରେ ଘଟିଛି। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ୧୨୦ତମ ବାଟାଲିୟନର ହାବିଲଦାର ସଞ୍ଜୟ କୁମାର ତାଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଜଣେ କନଷ୍ଟେବଳ ଏବଂ ଜଣେ ସବ-ଇନ୍ସପେକ୍ଟରଙ୍କୁ ହତ୍ୟା କରିଛନ୍ତି ଏବଂ ପରେ ସେ ନିଜକୁ ଗୁଳି କରି ଦେଇଛି। ଗୁଳିଚାଳନା ଘଟଣାରେ ଆଠ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ଇମ୍ଫାଲର ଆଞ୍ଚଳିକ ଚିକିତ୍ସା ପ୍ରତିଷ୍ଠାନ (RIMS)କୁ ନିଆଯାଇଛି।
ସୈନିକ ଜଣକ କାହିଁକି ନିଜକୁ ଗୁଳି ଚଳାଇଲେ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଧିକାରୀମାନେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ସିଆରପିଏଫମାନେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରିନାହାନ୍ତି।


