Categories: ଫୁରସତ

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା ଜଣେ ମହିଳାଙ୍କୁ ଲକ୍ଷାଧିକ ଟଙ୍କାର ଜରିମାନା କରାଯାଇଛି। ବେଙ୍ଗାଲୁରୁର ଜଣେ ମହିଳାଙ୍କୁ ଟ୍ରାଫିକ୍‌ ନିୟମ ପାଳନ ନ କରିବା ମହଙ୍ଗା ପଡ଼ିଛି। ହେଲମେଟ ନ ପିନ୍ଧି ସ୍କୁଟି ଚଳାଉଥିବାରୁ ତାଙ୍କୁ ୧ ଲକ୍ଷ ୩୬ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ବିନା ହେଲ୍‌ମେଟ ପିନ୍ଧି ମହିଳା ଜଣଙ୍କ ସ୍କୁଟି ଚଳାଉଥିବା ବେଳେ ଏହା ରାସ୍ତା କଡ଼ରେ ଥିବା କ୍ୟାମେରାରେ ରେକର୍ଡ ହୋଇଥିଲା। ତେବେ ଏହି ମହିଳା ଜଣକ ପ୍ରଥମ ଥର ପାଇଁ ଟ୍ରାଫିକ ନିୟମକୁ ଉଲ୍ଲଘଂନ କରିନାହାନ୍ତି। ପୂର୍ବରୁ ସେ ୨୭୦ ଥର ଟ୍ରାଫିକ ନିୟମ ଉଲ୍ଲଘଂନ କରିଛନ୍ତି। ଲଗାତର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଚାଲିଥିବାରୁ ଏହି ମହିଳାଙ୍କୁ ୧ ଲକ୍ଷ ୩୬ ହଜାର ଟଙ୍କା ଜରିମାନା କରାଯାଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଙ୍ଗାଲୁରୁର ବରିଷ୍ଠ ଟ୍ରାଫିକ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମହିଳାଙ୍କୁ ମିଳିଥିବା ଜରିମାନା ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟିର ମୂଲ୍ୟ ଠାରୁ ମଧ୍ୟ ଢେର ଅଧିକ। ତେବେ ବିନା ହେଲ୍‌ମେଟରେ ଗାଡ଼ି ଚଳାଇବା, ରାସ୍ତାର ଭୁଲ ପାର୍ଶ୍ୱରେ ଗାଡ଼ି ଚଳାଇବା, ଗାଡ଼ି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାର କରିବା, ଟ୍ରାଫିକ ସିଗ୍‌ନାଲ ଭାଙ୍ଗିବା, ୨ରୁ ଅଧିକ ବ୍ୟକ୍ତିଙ୍କୁ ସ୍କୁଟିରେ ନେବା ଆଦି ଅନେକ ପ୍ରକାରର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ଉକ୍ତ ମହିଳାଙ୍କ ବିରୋଧରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନକୁ ସେ ଯଥାର୍ଥ ଦର୍ଶାଇଛନ୍ତି। ସମ୍ପ୍ରତି ଭାରତର ଅଧିକାଂଶ ସହରରେ ରାଜ୍ୟ ସରକାରଗୁଡ଼ି ଦ୍ୱାରା ସିସିଟିଭି କ୍ୟାମେରା ଲଗାଯାଇଛି, ଯାହା ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବିଭିନ୍ନ ବ୍ୟକ୍ତିଙ୍କୁ କ୍ୟାପ୍‌ଚର କରିବା ସହ ଲୋକଙ୍କ ଉପରେ ନଜର ରଖିଥାଏ ଏବଂ ପୋଲିସକୁ ସାହାଯ୍ୟ କରିଥାଏ। ଏହି କ୍ୟାମେରାରେ ନିୟମ ଉଲ୍ଲଘଂନ କରିବାର କିଛି ସମୟ ମଧ୍ୟରେ ଗାଡି ମାଲିକଙ୍କ ନାମରେ ଚାଲାଣ କଟିଯାଇଥାଏ।

Share