ଅମରପାଲି,୨୦।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ହିଲୁଙ୍ଗ ଗ୍ରାମରେ ଜବରଦଖଲ ଉଚ୍ଛେଦ ଦାବିରେ ଗୁରୁବାର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ। ଅଭିଯୋଗ ଅନୁସାରେ ତହସିଲ ଅନ୍ତର୍ଗତ ହିଲୁଙ୍ଗ ଗ୍ରାମର କେତେକ ବ୍ୟକ୍ତି ଗ୍ରାମରେ ଥିବା ଅନାବାଦୀ,ଗୋଚର,ଜଳଚର, ପତ୍ରା ଜଙ୍ଗଲ ଜମିକୁ ବେଆଇନ ଭାବେ ଜବରଦଖଲ କରିଛନ୍ତି। ଜବରଦଖଲକାରୀମାନେ ସେହି ଜମିରେ ବେଆଇନ ଭାବେ ଧାନ ଓ କପା ଭଳି ଚାଷ ମଧ୍ୟ କରୁଛନ୍ତି। ଫଳରେ ଗ୍ରାମରେ ଗୋପାଳକମାନେ ଗାଈ ଗୋରୁ ଚରାଇବାରେ ଅସୁବିଧା ହେଉଛି। ତେଣୁ ଗୋପାଳନରୁ ଲୋକେ ମୁହଁ ଫେରାଇ ନେଉଛନ୍ତି। ନିକଟସ୍ଥ ଚମ୍ପାମାଳ ଗ୍ରାମର ଚମ୍ପେଶ୍ୱର ବାବାଙ୍କ ଗାଈ ଗୋଠ ମଧ୍ୟ ହିଲୁଙ୍ଗରେ ରହିଛି। ଜବରଦଖଲ ଯୋଗୁ ଗ୍ରାମରେ ଗୋଚର ଭୂମି ନ ଥିବାରୁ ଉକ୍ତ ଗାଈମାନଙ୍କ ଚାରଣରେ ସମସ୍ୟା ହେଉଛି। ଏଣୁ ଗ୍ରାମରେ ସର୍ବସମ୍ମତିକ୍ରମେ ଏକ ବୈଠକ କରାଯାଇଥିଲା। ଉକ୍ତ ବୈଠକରେ ଗ୍ରାମର ସମସ୍ତ ଗୋଚର,ଜଳଚର ,ଅନାବାଦୀ ଭଳି ସରକାରୀ ଜମି ଚିହ୍ନଟ କରାଯାଇଥିବା ସହିତ ଜବରଦଖଲ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଣୁ ଗ୍ରାମର ସରକାରୀ ଜବରଦଖଲ ହୋଇଥିବା ଜମିକୁ ଜବରଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏନେଇ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ବୀରମହାରାଜପୁର ତହସିଲଦାର ସୁଚିଶ୍ମିତା ପାଣିଗ୍ରାହୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଜବରଦଖଲ ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି। ସ୍ଥାନୀୟ ସରପଞ୍ଚ ବନିତା ସେଠୀ,ଅହଲ୍ୟା ସିଂ, ସୂର୍ଯ୍ୟ ନାରାୟଣ ସିଂ, ରତ୍ନଗୋପାଳ ସିଂ,ମିନାକ୍ଷୀ ଦେହୁରୀ,ବିଶନାଥ ସିଂ,ଶତ୍ରୁଘ୍ନ ସାହୁ,ବିଦ୍ୟାଧର ଦେହେରୀ,ନୀଳାମ୍ବର ସିଂ,ସଂଗ୍ରାମ କେଶରୀ ସିଂଙ୍କ ସମତେ ଅନେକ ଗ୍ରାମବାସୀଙ୍କ ଦସ୍ତଖତ ଥିବା ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି।


