ବିଭିନ୍ନ ଦାବିରେ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ବଅଁରପାଳ,୨୪ା୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁକୁଡାଙ୍ଗ ପଞ୍ଚାୟତର ଟେଣ୍ଟଲୋଇ ଗ୍ରାମବାସୀ ବିଭିନ୍ନ ଦାବି ନେଇ ଗୁରୁବାର ରେଳରୋକୋ ଆନ୍ଦୋଳନ କରିଛନ୍ତି। ଗ୍ରାମବାସୀ ନାଲ୍‌କୋ-ଭରତପୁର ରେଳ ଲାଇନ୍‌ ଉପରେ ବସି ଏହି ଆନ୍ଦୋଳନ କରିଛନ୍ତି। ଫଳରେ ଆଜି ନାଲ୍‌କୋ ପ୍ଲାଣ୍ଟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସିପିପି ପ୍ଲାଣ୍ଟକୁ କୌଣସି କୋଇଲା ବୋଝେଇ ଟ୍ରେନ୍‌ ଯାଇ ପାରି ନ ଥିଲା। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଟେଣ୍ଟଲୋଇ ଗ୍ରାମ ନାଲ୍‌କୋର ଏକ ପାରିପାର୍ଶ୍ୱିକ ଗ୍ରାମ ମଧ୍ୟରେ ଅନ୍ତର୍ଭୁକ୍ତ। ମାତ୍ର ଏହି ଗ୍ରାମରେ ରାସ୍ତାଘାଟ, ପାନୀୟ ଜଳ ଏବଂ ବିଜୁଳି ପରି ଅନେକ ସମସ୍ୟା ଲାଗି ରହିଛି। ସାହିକୁ ଆସିଥିବା ବିଭିନ୍ନ ରାସ୍ତା ଶୋଚନୀୟ ହୋଇପଡ଼ିଛି। ସେହିପରି ନାଲ୍‌କୋ ପାଉଁଶ ପୋଖରୀର ଅତି ନିକଟରେ ରହିଛି ଏହି ଗ୍ରାମ। ଅନେକ ସମୟରେ ପାଉଁଶ ଗୁଣ୍ଡ ଉଡୁଛି। ନାଳରେ ପାଉଁଶ ପାଣି ଯିବା ଦ୍ୱାରା ପାଣି ପ୍ରଦୂଷିତ ହେଉଛି। ସେହିପରି ଏହି ପାଣି ଯିବା ଦ୍ୱାରା ଧୀରେ ଧୀରେ ନଦୀକୂଳ ଖାଉଛି। ଏସବୁ ସମସ୍ୟା ନେଇ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କୁକୁଡ଼ାଙ୍ଗର ପୂର୍ବତନ ସରପଞ୍ଚ ଅମୀୟ ତ୍ରିପାଠୀ, ଧରଣୀଧର ନାୟକ, ସ୍ବାଗତ ନାୟକ, ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଚାଲୁରହିଛି।