ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ ଗ୍ରାମରେ ଅଶାନ୍ତି, ଅସାମାଜିକ କାର୍ଯ୍ୟକଳାପ ଓ ମଦ୍ୟପଙ୍କ ଉତ୍ପାତ ବଢ଼ୁଥିବା ଅଭିଯୋଗ କରି ଗ୍ରାମବାସୀ ଏହାକୁ ଉଚ୍ଛେଦ ଦାବି କରିଛନ୍ତି। ଏ ନେଇ ଗୁରୁବାର ଶତାଧିକ ମହିଳାପୁରୁଷ ମଦଭାଟି ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଗ୍ରାମବାସୀଙ୍କ କହିବାନୁଯାୟୀ, ପୂର୍ବରୁ ଉକ୍ତ ଭାଟିକୁ ଅନ୍ୟ ସ୍ଥାନରୁ ମଦ ଆଣି ବିକ୍ରି କରାଯାଉଥିଲା। ପରବର୍ତ୍ତୀ ସମୟରେ ଏଠାରେ ମହୁଲି ମଦ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ଏହାସହ ଭାଟିରୁ କୁଚିଆ ବ୍ୟବସାୟୀଙ୍କୁ ମଦ ଦିଆଯାଇ ଆଖପାଖ ଗ୍ରାମରେ ବିକ୍ରି କରାଯାଉଛି।

ବୀରମହାରାଜପୁର-ରେଢ଼ାଖୋଲ ମୁଖ୍ୟରାସ୍ତାକୁ ଲାଗି ଏହି ମଦଭାଟି ରହିଥିବାରୁ ଏହାର ପ୍ରଭାବ ଯାତାୟାତ ଉପରେ ମଧ୍ୟ ପଡୁଥିବା ଗ୍ରାମବାସୀ କହିଛନ୍ତି। ମଦ୍ୟପମାନେ ରାସ୍ତାକଡ଼ରେ ଆଡ୍ଡା ଜମାଉଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଛାତ୍ରୀଛାତ୍ର, ମହିଳା ଓ ପଥଚାରୀମାନେ ଅସୁରକ୍ଷିତ ଅନୁଭବ କରୁଥିବା ଅଭିଯୋଗ ହୋଇଛି।

ଏପରିକି ଅନେକ ସମୟରେ ମଦ୍ୟପାନକୁ କେନ୍ଦ୍ରକରି ଗଣ୍ଡଗୋଳ ଓ ମାରପିଟ ହେଉଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି। ମଦଭାଟି ଯୋଗୁ ଅଳ୍ପ ବୟସର ପିଲାମାନେ ମଧ୍ୟ ମଦ୍ୟପାନ ଆଡ଼କୁ ଆକର୍ଷିତ ହେଉଥିବା ଏବଂ ଏହାର ପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ବିଗୁଡ଼ୁଛି। ମଦ୍ୟପାନକୁ କେନ୍ଦ୍ରକରି ଗ୍ରାମରେ ପୂର୍ବରୁ ୨ଟି ହତ୍ୟାକାଣ୍ଡ ଘଟିଥିବା ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।

ଏହି ସମସ୍ୟାର ପ୍ରଭାବ ଛାତ୍ରୀଛାତ୍ରଙ୍କ ଉପରେ ପଡ଼ୁଥିବା ଅନୁଭବ କରି ଗ୍ରାମବାସୀଙ୍କ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଗ୍ରାମର ଅଶାନ୍ତି ଓ ଅସାମାଜିକ କାର୍ଯ୍ୟକଳାପର ମୁଖ୍ୟ କାରଣ ମଦ ବୋଲି ଅଭିଯୋଗ କରି ମଦଭାଟି ବନ୍ଦ ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଏ ନେଇ ଗ୍ରାମବାସୀ ସୁବର୍ଣ୍ଣପୁର ଜିଲାପାଳ,ଏସ୍‌ପି, ଅବକାରୀ ଅଧୀକ୍ଷକ, ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ, ଉପଜିଲାପାଳ ଏବଂ ସୁବଳୟା ଥାନା ଅଧିକାରୀଙ୍କୁ ଦାବିପତ୍ର ଦେଇ ମଦ ଭାଟି ବନ୍ଦ କରିବାକୁ ଦାବି କରିଥିଲେ। ମାତ୍ର ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ଗ୍ରାମ୍ୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଶତାଧିକ ମହିଳାପୁରୁଷ ମଦଭାଟି ନିକଟରେ ପହଞ୍ଚତ୍ ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ।

ଏହାସହ ଆସନ୍ତା ୧୦ ତାରିଖ ସୁଦ୍ଧା ମଦଭାଟି ବନ୍ଦ କରି ଉଚ୍ଛେଦ ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲା। ଏହି ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପୀତାମହୁଲ ଗ୍ରାମ୍ୟ ପରିଚାଳନା କମିଟିର ସଦସ୍ୟମାନେ କୁଞ୍ଜାମହୁଲ, ଗରିଆମୁଣ୍ଡା, ଠାକୁରପୁର, କାଶଲପୁର, ଭାଟପଦର, ବୁରମାଲ, ଟେଭାପଦର, ଦୁରଦୁରା ଓ ଡୁଲେଶ୍ୱର ଆଦି ଗ୍ରାମକୁ ଯାଇ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି।

ଆସନ୍ତା ୧୦ ତାରିଖରେ ଏସବୁ ଗ୍ରାମର ଶତାଧିକ ମହିଳାପୁରୁଷ ଏକତ୍ରିତ ହୋଇ ମଦଭାଟି ବନ୍ଦ ଦାବିରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆନ୍ଦୋଳନରେ ପୀତାମହୁଲ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ମଧୁସୂଦନ ପଣ୍ଡା, ଉପସଭାପତି ଭୀଷ୍ମ କୁମାର ଦନ୍ତା, ସମ୍ପାଦକ ଶ୍ରୀକାନ୍ତ କର୍ମୀ, ସହସମ୍ପାଦକ ବିଶ୍ୱଜିତ ସାହୁ, କୋଷାଧ୍ୟକ୍ଷ ହେମନ୍ତ ସେଠୀ, ସଦସ୍ୟ ଭାଗୀରଥି ମାଝୀ, ହରିଶଙ୍କର ଭୋଇ, ଶାମ୍ବକାର ଖେତି, ମାନଭଞ୍ଜନ ଜେନା, ସ୍ଥାନୀୟ ସମିତି ସଭ୍ୟ ସଇନ୍ଦୁ ସାହୁ, ପୂର୍ବତନ ସରପଞ୍ଚ ରଘୁନାଥ ସେଠୀ, ଆର୍ତ୍ତତ୍ରାଣ ମାଝୀ, ନରେନ୍ଦ୍ର ସାହୁ, ସମାରୁ ମେହେର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷ ସାମିଲ ହୋଇଥିଲେ।

Share