ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩ କିମି. ଦୂରରେ । ଫଳରେ ଏହି ୩ କି.ମି. ରାସ୍ତା ମୃତଦେହକୁ ଖଟିଆରେ ଧରି ଗ୍ରାମବାସୀ ବୋହି ନେଇଥିଲେ ଗାଁକୁ। ଏପରି ଅଭାବନୀୟ ଘଟଣା ରାୟଗଡା ଜିଲା ଗୁଡାରି ବ୍ଲକର କର୍ଲାଘାଟି ପଞ୍ଚାୟତର ଖଡ଼ିକା ପଦର ଗ୍ରାମରେ ଦେଖିବାକୁ ମିଳିଛି ।
ଖବରରୁ ଜଣାପଡିଛି, ଖଡ଼ିକା ପଦର ଗ୍ରାମର ମାଟେଡି କିମାକା (୪୦) କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ବିଷମକଟକ ମେଡିକାଲରେ ଶନିବାରଠାରୁ ଚିକିତ୍ସିତ ହେଉଥିଲେ। ରବିବାର ସକାଳ ୯ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ଖଡ଼ିକାପଦର ଗାଁକୁ ନେଇଥିଲେ। ବିରିପାଙ୍ଗା ଗ୍ରାମଠାରୁ ଖଡ଼ିକାପଦର ରାସ୍ତା ଶୋଚନୀୟ ଥିବାରୁ ଆମ୍ବୁଲାନ୍ସ ଚାଳକ ଗାଁକୁ ମୃତଦେହ ନେବାକୁ ମନା କରିଥିଲେ । ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ବିରିପାଙ୍ଗାରୁ ଖଡ଼ିକାପଦର ପର୍ଯ୍ୟନ୍ତ ୩ କି.ମି. ଘାଟି ରାସ୍ତାରେ ଖଟିଆରେ ବୋହି ମୃତଦେହ ଗାଁକୁ ନେଇଥିଲେ ।

