ସ୍କୁଲ୍‌ ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଝାରସୁଗୁଡ଼ା ଅଫିସ,୧ା୬: ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ପଣ୍ଡରୀ ପଞ୍ଚାୟତ ବେଙ୍କମୁରା ଗ୍ରାମବାସୀ ଗ୍ରାମରେ ବନ୍ଦ ଥିବା ସ୍କୁଲ୍‌ ଖୋଲିବା ଦାବିରେ ଭୋଟ ବର୍ଜନ ପାଇଁ ପୂର୍ବରୁ ଚେତାବନୀ ଦେଇଥିଲେ। ଏ ନେଇ ଜିଲା ପ୍ରଶାସନ ତରଫରୁ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ ଗ୍ରାମବାସୀ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ଏହାକୁ ପ୍ରଶାସନ ଅଗ୍ରାହ୍ୟ କରିବାରୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳରହି ମଙ୍ଗଳବାର ହୋଇଥିବା ଉପନିର୍ବାଚନ ମତଦାନ ବର୍ଜନ କରିଛନ୍ତି। ବଲଣ୍ଡା ଓ ବେଙ୍କମୁରା ଗ୍ରାମକୁ ନେଇ ବଲଣ୍ଡା ପ୍ରାଥମିକ ସ୍କୁଲ୍‌ରେ ୮୫ନଂ ବୁଥ୍‌ କରାଯାଇଥିଲା। ଏହି ବୁଥ୍‌ରେ ସମୁଦାୟ ୭୧୧ଭୋଟର ରହିଥିବାବେଳେ ବେଙ୍କମୁରା ଗ୍ରାମର ୨୭୨ ଭୋଟର ମତଦାନରୁ ବିରତ ରହିଥିଲେ। ସୂଚନାଯୋଗ୍ୟ ୨ବର୍ଷ ତଳେ କମ୍‌ ଉପସ୍ଥାନ ଥିବା ଦର୍ଶାଇ ଶିକ୍ଷାବିଭାଗ ଗ୍ରାମରେ ଥିବା ସ୍କୁଲ୍‌ ବନ୍ଦକରି ନିକଟସ୍ଥ ବଲଣ୍ଡା ପ୍ରାଥମିକ ସ୍କୁଲ୍‌ରେ ମିଶାଇ ଦେଇଥିଲା। ଏହାକୁ ଗ୍ରାମବାସୀ ବିରୋଧ କରିଆସୁଛନ୍ତି।