ପ୍ରତିଦିନ ସ୍କୁଲକୁ ୨୪ କିଲୋମିଟର ସାଇକେଲରେ ଯାଆନ୍ତି ଏହି ଛାତ୍ରୀ: ହାଇସ୍କୁଲ ପରୀକ୍ଷାରେ ରଖିଛନ୍ତି ୯୮.୫ ପ୍ରତିଶତ ନମ୍ବର

ଭୋପାଳ,୬ା୭: କଥାରେ ଅଛି କଠିନ ପରିଶ୍ରମର ଫଳ ଦିନେ ଦିନେ ମିଳିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲା ଅନ୍ତର୍ଗତ ଆଜନୋଲ୍‌ ଗାଁର ଦଶମ ଶ୍ରେଣୀ ଛାତ୍ରୀ ରୋଶ୍‌ନି ଭଦୌରିଆ। ହାଇସ୍କୁଲ ପରୀକ୍ଷାରେ ସେ ୯୮.୫ ପ୍ରତିଶତ ନମ୍ବର ରଖି ୮ମ ର଼୍ୟାଙ୍କ ହାସଲ କରିଛନ୍ତି। ପାଠ ପଢ଼ିବା ପାଇଁ ସେ ପ୍ରତିଦିନ ୨୪ କିଲୋମିଟର ସାଇକେଲରେ ସ୍କୁଲକୁ ଯିବା ଆସିବା କରିଥାନ୍ତି। ଗାଁଠାରୁ ସ୍କୁଲ ୧୨ କିଲୋମିଟର ଦୂର। ବହୁ ବାଧାବିଘ୍ନ ସତ୍ତ୍ୱେ ସେ ସ୍କୁଲକୁ ଯାଇ ଏହି ସଫଳତା ହାସଲ କରିଥିବାରୁ ବହୁତ ଖୁସି ବୋଲି କୁହନ୍ତି ରୋଶ୍‌ନି। ସରକାରଙ୍କ ପକ୍ଷରୁ ମିଳିଥିବା ସାଇକେଲ ତାଙ୍କୁ ବହୁ ସାହାଯ୍ୟ କରିଥିବା ସେ କୁହନ୍ତି। ରୋଶ୍‌ନି ଦିନକୁ ୩/୪ ଘଣ୍ଟା ପାଠ ପଢ଼ୁଥିଲେ। ତାଙ୍କ ପାଠପଢ଼ାରେ ବାପା ପୁରୁଷୋତ୍ତମ ଭଦୌରିଆ ତାଙ୍କୁ ବହୁତ ସାହାଯ୍ୟ କରନ୍ତି। ପୁରୁଷୋତ୍ତମ କୁହନ୍ତି, ଝିଅ ଯେଉଁ କଷ୍ଟ କରିଥିଲା ଆଜି ସେହି କଷ୍ଟର ଫଳ ତାକୁ ମିଳିଛି।


ଭବିଷ୍ୟତରେ କଲେକ୍ଟର ହେବାକୁ ଆଶା ରଖିଛନ୍ତି ରୋଶ୍‌ନି। ଗଣିତ ଏବଂ ଇଂରାଜୀ ରୋଶ୍‌ନିଙ୍କର ପ୍ରିୟ ବିଷୟ। ଏଥିରେ ସେ ୯୬ ପ୍ରତିଶତ ନମ୍ବର ରଖିଛନ୍ତି। ରୋଶ୍‌ନି ଦୁଇ ଭାଇରେ ଗୋଟିଏ ବୋଲି ଭଉଣୀ। ବଡ଼ ଭାଇ ଯୁକ୍ତ ୨ ପଢୁଥିବା ବେଳେ ସାନ ଭାଇ ୪ର୍ଥ ଶ୍ରେଣୀରେ ପଢୁଛନ୍ତି।

ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ପାଠପଢ଼ାରେ ବାପା ପୁରୁଷୋତ୍ତମ ରୋଶ୍‌ନିଙ୍କୁ କେବେ ତାଙ୍କୁ ଅବହେଳା କରିନାହାନ୍ତି। ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ପୁରୁଷୋତ୍ତମ କୁହନ୍ତି, ପିଲାମାନେ ଯେତେ ପର୍ଯ୍ୟନ୍ତ ପଢ଼ିବାକୁ ଚାହିଁବେ ତାଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ତାଙ୍କୁ ପଢ଼ାଇବେ।

Share