ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ ପୋଖରୀରେ ଜାଲପଡ଼ିଥିବା ବେଳେ ମାତ୍ର ୬୨୦ ଟଙ୍କା ଲାଭ ମିଳିଥିବା ଜାଣିବାକୁ ମିଳିଛି।
ସୂଚନାଯୋଗ୍ୟ, ରାଣୀଗାଁରେ ପୋଖରୀ ନିଲାମ ଓ ମାଛ ଧରିବାକୁ ନେଇ ଗୁଣେଶ୍ବର ମହିଳା ସଂଘ(ଏସ୍ଏଚ୍ଜି )ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହାକି ଏହି ଘଟଣା ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ଗତ ୬ ତାରିଖରେ ଏହାକୁ ନେଇ ଗ୍ରାମରେ ବିବାଦ ଉଗ୍ରରୂପ ନେଇଥିଲା। ଫଳରେ ତହସିଲଦାର ବିନୋଦ କୁମାର ବେହେରା, ଏସ୍ଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚି ସରପଞ୍ଚ ଏନ୍ ଭାସ୍କର ଦୋରା, ପଞ୍ଚାୟତ ନିର୍ବାହୀଅଧିକାରୀ ଏଲ ବାଡ଼ତ୍ୟାଙ୍କ ସମେତ ଉଭୟ ପକ୍ଷଙ୍କୁ ନେଇ ବୁଝାଶୁଝା କରି ଶାନ୍ତିକମିଟି ଗଠନ କରିଥିଲେ। ଏଥିରେ ମହିଳା ସଂଘର ଖର୍ଚ୍ଚ ଓ ତଦାରଖର ୬୦ ହଜାର ଟଙ୍କା ସମେତ ଲାଭାଂଶର ୬୦ ପ୍ରତିଶତ ଦିଆଯିବା ସହ ୪୦ ପ୍ରତିଶତ ଗ୍ରାମରେ ଥିବା ମୁକ୍ତେଶ୍ବର ମନ୍ଦିର ଉନ୍ନୟନ ଲାଗି ଦିଆଯିବା ନେଇ ସ୍ଥିର କରାଯାଇ ବୁଧବାର ମାଛ ଧରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ପୋଲିସ, ପ୍ରଶାସନ ସହ ଉଭୟପକ୍ଷଙ୍କ ଉପସ୍ଥିତିରେ ପୋଖରୀରେ ଜାଲ ପକାଯାଇ ମାଛ ଧରାଯାଇଥିବା ବେଳେ ମାତ୍ର ୩୪୦ କେଜି ବଡ଼ ମାଛ ଯାହାର ମୂଲ୍ୟ ୫୭,୮୦୦ ଟଙ୍କା ଓ ୪୭ କେଜି ଛୋଟମାଛ ଯାହାର ମୂଲ୍ୟ ୨୮୨୦ ଟଙ୍କା ଯାହାକି ସମୁଦାୟ ୬୦,୬୨୦ ଟଙ୍କା।
ଏଥିରୁ ଶାନ୍ତି କମିଟିର ନିଷ୍ପତ୍ତି ଅନୁଯାୟୀ, ମହିଳା ସଂଘ ଯାଆଁଳ ଖର୍ଚ୍ଚ ବାବଦରେ ହୋଇଥିବା ଖର୍ଚ୍ଚ ୬୦ ହଜାର ପାଇଥିବା ବେଳେ ମୋଟ୍ ଲାଭାଂଶ ୬୨୦ ଟଙ୍କାରୁ ୩୭୨ ଟଙ୍କା। ଗ୍ରାମ ମନ୍ଦିରକୁ ଲାଭାଂଶରୁ ୨୪୮ ଚଙ୍କା ମିଳିଥିବା ଜଣାପଡ଼ିଛି। ଏହି ସମୟରେ ପୁରୁଷୋତ୍ତମପୁର ଥାନା ଏସ୍ଆଇ ରାଜେଶ କୁମାର ଛତ୍ରିଆ, ସୁଶାନ୍ତ କୁମାର ମିଶ୍ର, ଶିକୁଳା ଆରଆଇ ସନ୍ତୋଷିନୀ ଗୌଡ଼, ସରପଞ୍ଚ ଏନ୍ ଭାସ୍କର ଦୋରା, ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ।

