ଶିଳାନ୍ୟାସରେ ସୀମିତ ବିକ୍ରମପୁର ସାଇନ୍ସ ପାର୍କ

ବ୍ରହ୍ମପୁର ଅଫିସ,୭।୯: ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିକ୍ରମପୁରରେ ପ୍ରସ୍ତାବିତ ସାଇନ୍ସ ପାର୍କ ଶିଳାନ୍ୟାସରେ ସୀମିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଭିତ୍ତିପ୍ରସ୍ତରକୁ ଏବେ ୭ ବର୍ଷ ବିତିଥିଲେ ମଧ୍ୟ କାମ ଆରମ୍ଭ ହୋଇନି। ତୁରନ୍ତ ପାର୍କ ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।
ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ଦ୍ୱିତୀୟଥର ବିଧାୟକ ହେବା ପରେ ବିଜେଡିର ୪ର୍ଥ ପାଳି ସରକାରରେ ଗ୍ରାମାଞ୍ଚଳ ଜଳ ଯୋଗାଣ, ଉଚ୍ଚ ଶିକ୍ଷା ସହ ବିଜ୍ଞାନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ନିଜ ବିଧାନସଭା କ୍ଷେତ୍ରର ବିକ୍ରମପୁରରେ ସାଇନ୍ସ ପାର୍କ ପ୍ରତିଷ୍ଠା ଲାଗି ପଦକ୍ଷେପ ନେଇଥିଲେ। କ୍ଷମତାର ଦୁଇ ବର୍ଷ ପରେ ସେ ମନ୍ତ୍ରୀ ପଦରୁ ବାଦ ପଡ଼ି ଗଞ୍ଜାମ ଜିଲା ବିଜେଡି ସଂଗଠନର ସଭାପତି ହୋଇଥିଲେ। ୨୦୧୯ ନିର୍ବାଚନରେ ତୃତୀୟ ଥର ବିଧାୟକ ନିର୍ବାଚିତ ହେଲେ। ଘଟଣାଚକ୍ରରେ ୨୦୨୦ ଶେଷବେଳକୁ ସେ ଦଳରୁ ବହିଷ୍କୃତ ହେବା ସହ ବିଭିନ୍ନ ମାମଲାରେ ଛନ୍ଦି ହୋଇଗଲେ। ଦୀର୍ଘଦିନ ବିଚାର ବିଭାଗ ହାଜତରେ ମଧ୍ୟ ରହିଲେ। ତେଣୁ ସାଇନ୍ସ ପାର୍କ ପ୍ରତିଷ୍ଠା ଧିମେଇ ଗଲା। ସମ୍ପ୍ରତି ରାଜ୍ୟ ସରକାର ମଧ୍ୟ ସାଇନ୍ସକୁ ଗୁରୁତ୍ୱ ଦେଇ ଭିତ୍ତିଭୂମି ଯୋଗାଉଛନ୍ତି। ସମୁଦ୍ର କୂଳିଆ ବିଦ୍ୟାର୍ଥୀଙ୍କ ବିଜ୍ଞାନ ପାଠ୍ୟକ୍ରମର ବିକାଶ ନିମନ୍ତେ ବିକ୍ରମପୁର ସାଇନ୍ସ ପାର୍କ ନିର୍ମାଣ ଅପରିହାର୍ଯ୍ୟ ବୋଲି ଅଭିଭାବକ ମହଲରୁ ମତ ପ୍ରକାଶ ପାଇଛି।
ଅପରପକ୍ଷରେ ଉପକୂଳର ଗୋପାଳପୁର ନିର୍ବାଚନ ମଣ୍ଡଳୀ ପ୍ରତି କେନ୍ଦ୍ର ସରକାର ଅବହେଳା କରୁଥିବା ଏକାଧିକ ନଜିର ଅଛି। ଶୀତଳାପଲ୍ଲୀ ରେଳ ୱାଗନ ଫ୍ୟାକ୍ଟ୍ରି ଏନଡିଏ ସରକାର ପ୍ରତ୍ୟାହାର କରିଛନ୍ତି। ଗୋଳନ୍ଥରାରେ ବୃହତ୍ତ ତୈଳ ଡ଼ିପୋ ପ୍ରସ୍ତାବକୁ କାର୍ଯ୍ୟକାରୀ କରିନାହାନ୍ତି। ୧୨ବର୍ଷ ତଳେ ସର୍ଭେ ସରିଥିବା ଗୋପାଳପୁର ଠାରୁ ରାୟଗଡ଼ା ପର୍ଯ୍ୟନ୍ତ ୨୫୮ କି.ମି. ନୂଆ ରେଳପଥ ନିର୍ମାଣ ପ୍ରତି ଅଣଦେଖା କରିଛନ୍ତି। ସେହିପରି ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣରୁ ଗଞ୍ଜାମ ଜିଲା ଅଞ୍ଚଳକୁ ସମ୍ପୃକ୍ତ ମନ୍ତ୍ରଣାଳୟ ମନ୍ତ୍ରୀ ବାଦ ଦେଇଛନ୍ତି। ତେଣୁ ପୂର୍ବ ଓ ବର୍ତ୍ତମାନର କେନ୍ଦ୍ର ସରକାର ଗୋପାଳପୁର ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପ୍ରକାଶ କରୁଥିବା ଉପକୂଳ ବାସିନ୍ଦା ସମାଲୋଚନା କରୁଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାଇ ପ୍ରସ୍ତାବିତ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରାଇବାକୁ ବିଭିନ୍ନ ମହଲ ଗୁରୁତ୍ୱ ଦେଇଛନ୍ତି।