ବରଗଡ଼,୨ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ଅନନ୍ୟ। ତେବେ ଏହି ପର୍ବ ଯେତିକି ପାଖେଇ ଆସୁଛି, ଲୋକଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢି ଚାଲିଛି। ଗାଁଠୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଏହି ପର୍ବରେ ପ୍ରତ୍ୟେକ ଘରେ ଓ ଦେବାଦେବୀ ମନ୍ଦିର ଗୁଡ଼ିକରେ ନୂଆଁ ବନ୍ୟଜାତ ଫଳ ଆମ୍ବ, ଚାର, ମହୁଲ ସହିତ ଗୁଡ଼ରେ ତିଆରି ଶାକରପଟିକୁ ଭୋଗ ଲଗାଯାଏ। ତେବେ ଶାକରପଟି ଭୋଗ କ୍ୱଚିତ୍ ଜାଗାରେ ପ୍ରସ୍ତୁତ ହୁଏ। ବର୍ଷକରେ ଥରେ ଏହି ସାକରପଟିର ଚାହିଦା ରହିଥାଏ। ଏହି ଦୃଷ୍ଟିରୁ ବରଗଡ଼ ଜିଲାର ଗୁଡ଼ିଆ ସମ୍ପ୍ରଦାୟ ଲୋକେ ଶାକରପଟି ଭୋଗ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଜିଲା ଅତାବିରା ବ୍ଲକ ଲସ୍ତଲା ଗ୍ରାମର ଗୁଡ଼ିଆ ସମ୍ପ୍ରଦାୟର ଲୋକ ଏହି ବୃତ୍ତିକୁ ବଞ୍ଚାଇ ରଖି ଆସିଛନ୍ତି। ପୂର୍ବ ପୁରୁଷରୁ ଶାକରପଟି ତିଆରିକୁ ନିଜର କୌଳିକ ବୃତ୍ତି ଭାବେ ଆଦରି ନେଇଥିବା ଏହି ଗୁଡ଼ିଆ ପରିବାର ପ୍ରତିବର୍ଷ ଏହିଦିନକୁ ଅପେକ୍ଷା କରି ରହିଥାନ୍ତି ଏବଂ ଗୋଟିଏ ମାସ ପୂର୍ବରୁ ଏହି କାମରେ ଲାଗି ପଡ଼ିଥାନ୍ତି। ଗୋଟିଏ ଦିନରେ ୧୫ରୁ ୨୦ କେଜି ପର୍ଯ୍ୟନ୍ତ ଶାକରପଟି ତିଆରି କରିଥାନ୍ତି। ଫଗୁଣ ପୂର୍ଣ୍ଣିମା ଏବଂ ଚୈତ୍ର ମାସରେ ଏହାର ଚାହିଦା ଥିବାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ସହିତ ଛଡ଼ିଶଗଡ଼ ରାଜ୍ୟରୁ ବେପାରିମାନେ ଶାକରପଟି ନେବାକୁ ଏହି ଲସ୍ତଲା ଗ୍ରାମକୁ ଆସିଥାନ୍ତି। ତେବେ ଭଲ ଗୁଡ଼ ଓ କାଠର ଅଭା ସାଙ୍ଗକୁ ପରିଶ୍ରମ ମୁତାବକ ଉଚିତ ଲାଭ ମିଳୁନଥିବା ଅଭିଯୋଗ କରିଛନ୍ତି। ଏଣୁ ଗ୍ରାମର ଅନେକ ଗୁଡ଼ିଆ ସଂପ୍ରଦାୟ ପରିବାର ଶାକରପଟି ତିଆରି ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ତଥାପି ଗ୍ରାମର କିଛି ଗୁଡ଼ିଆ ସମ୍ପ୍ରଦାୟର ଲୋକେ ଏହାକୁ ବଞ୍ଚାଇ ରଖିଛନ୍ତି। ଶାକରପଟି ଭୋଗ ଫାଲଗୁନ ପୂର୍ଣ୍ଣମୀ ଦିନ ବିଭିନ୍ନ ମନ୍ଦିରରେ ମୁଖ୍ୟ ଭୋଗ ରୂପେ ଲାଗି ହୋଇଥାଏ। କେବଳ ପୂର୍ଣ୍ଣମୀ ଦିନ ନୁହଁ, ଚୈତ୍ରମାସର ମଙ୍ଗଳବାର ହେଉଥିବା ମା ମଙ୍ଗଳାଙ୍କ ପୂଜାରେ ଭୋଗ ରୂପେ ଏହି ଭୋଗ ଲାଗିହୁଏ। ପଶ୍ଚିମ ଓଡ଼ିଶାରେ ଏହାର ଚାହିଦା ବେଶୀ ରହିଥିବା ବେଳେ ଗୁଡ଼ିଆ ସମ୍ପ୍ରଦାୟର ଲୋକେ ଏହାକୁ ତିଆରି କରିଥାନ୍ତି। ପ୍ରଥମେ ଭେଲା ଗୁଡକୁ ଅଳ୍ପ ପରିମାଣର ପାଣି ଦେଇ ମାଟି ହାଣ୍ଡି ଦ୍ୱାରା ନିଆଁରେ ଫୁଟାଯାଏ। ଗୁଡ଼ ଫୁଟି ଗଲା ପରେ ତାକୁ ତେଲ ଦିଆଯାଇଥିବା ପଥର ଶିଳରେ ଢଳାଯାଇ ଥଣ୍ଡା କରାଯାଏ। ଥଣ୍ଡା ହେବା ପରେ ତାକୁ ଏକ ଗୋଜିଆ ଖମ୍ବରେ ରଖି ଟଣାଯାଏ। ଧୀରେ ଧୀରେ ଏହାର ରଙ୍ଗ ପରିବର୍ତ୍ତନ ହୋଇ ସୁନା ରଙ୍ଗ ପରି ଦେଖାଯାଏ। ଏହାପରେ ନିଆଁରେ ଦେଖାଇ ତାକୁ ସୁତା ପରି ବାହାର କରାଯାଏ ଏବଂ ତାକୁ ବିଭିନ୍ନ ଆକୃତି ଦେଇ ଶାକରପଟି ତିଆରି କରାଯାଏ। ଶାକରପଟି ତିଆରି ହେବାପରେ ତାକୁ ଓଦା କନାରେ ଗୋଡ଼ାଇ ଥଣ୍ଡା କରାଯାଏ ଓ ପରେ ତାକୁ ଖରାରେ ଶୁଖାଇ ବଜାରକୁ ବିକ୍ରୟ କରିବା ପାଇଁ ନିଆଯାଏ। ଏହି କାମରେ ପରିବାରର ଛୋଟ ଛୁଆଠାରୁ ଆରମ୍ଭକରି ବୃଦ୍ଧ ପର୍ଯ୍ୟନ୍ତ ନିୟୋଜିତ ରହିଥାନ୍ତି।
Dharitri – Odisha’s No.1 Odia Daily

