ଭୁବନେଶ୍ୱର,୨୯।୭: ସଡକ ଓ ଗୃହ ନିର୍ମାଣ(R&B) ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ଚଢାଉ ବେଳେ ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଠାବ ହୋଇଛି। ନୀଳାଦ୍ରି ବିହାରରେ ୩ ମହଲା କୋଠା, କସମୋପଲିସରେ ୨ଟି ଫ୍ଲାଟ, ଉତ୍କଳ ଗ୍ୟାଲେରିଆରେ ଓ ସିମ୍ଫୋନି ମଲରେ ୨ଟି ଦୋକାନ ରହିଛି। ମୋଟ ୧୩ଟି ଦାମୀ ପ୍ଲଟ, ୯ଟି ଭୁବନେଶ୍ୱରରେ, ୩ଟି ନୟାଗଡ଼ ଓ ଗୋଟିଏ ଖୋର୍ଦ୍ଧାରେ ରହିଥିବା ସୂଚନା ମିଳିଛି।
ଭୁବନେଶ୍ୱର ଭିଜିଲାନ୍ସର ମାନ୍ୟବର ବିଶେଷ ବିଚାରପତିଙ୍କ ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧ ଜଣ ଏସଆଇ, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି। ଭିଜିଲାନ୍ସ ଟିମ ରାଜକିଶୋର ଜେନାଙ୍କ ବାସଭବନ ଓ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ସମ୍ପତ୍ତି ସମ୍ପର୍କିତ ଦଲିଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି। ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।


