ଆଉ ଜଣେ କୋଟିପତି କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୯ା୧୧: ପୁଣି ଥରେ ଖାକିରେ ଦାଗ ଲାଗିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟରତ କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି।  ଭିଜିଲାନ୍ସ ଟିମ୍‌ ସୁଦର୍ଶନଙ୍କ ବ୍ରହ୍ମପୁର ଶକ୍ତିନଗରସ୍ଥିତ ୩ ମହଲା ବିଶିଷ୍ଟ କୋଠା, ନିମଖଣ୍ଡି ସ୍ଥିତ ବାସଭବନ, ଭଞ୍ଜନଗର ଗାମୁଣ୍ଡିସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ ଜାରି ରହିଛି। ତାଙ୍କ ବ୍ରହ୍ମପୁର ବାସଭବନର ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି ବୋଲି ଭିଜିଲାନ୍ସ ଏସ୍‌ପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି।

ଏହି ଚଢ଼ାଉରେ ବ୍ରହ୍ମପୁର ଭିଜିଲାନ୍ସର ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି ଏବଂ ୫ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି। ଓଏସ୍‌ଏପିରେ ଚାକିରି ପାଇ କୋରାପୁଟ ପରେ ସୁଦର୍ଶନ ୨୦୦୫ରୁ ବ୍ରହ୍ମପୁର ପୋଲିସ ଜିଲାରେ କାର୍ଯ୍ୟ କରୁଛନ୍ତି। ସେ ପ୍ଲଟ୍‌ ବ୍ୟବସାୟ ସହ ଜଡ଼ିତ ଥିବା ସୂଚନା ମିଳିଛି । କିଛିଦିନ ତଳେ ଭୁବନେଶ୍ୱରରେ ଜଣେ କନଷ୍ଟେବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ବହୁ କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା।